ଚାନ୍ଦବାଲିରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ, ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪/୧୨: ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଭଦ୍ରକ ଚାନ୍ଦବାଲିରେ ଚାଲିଥିଲା ଉତ୍ତେଜନା । ଏହାରି ମଧ୍ୟରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁର ସ୍ଥିତ ଶ୍ୱଶୂର ଘରୁ ଗିରଫ କରିଛି । ଅନ୍ୟ ଦୁଇ ସହଯୋଗୀଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି ପୋଲିସ । ଜଙ୍ଗଲରୁ ମୃତଦେହ ଉଦ୍ଧାର ପରେ ଚାନ୍ଦବାଲି-ଆରଡି ରାସ୍ତା ବାଲିଗାଁ ଛକରେ ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକ । ଚାନ୍ଦବାଲି ପେଟ୍ରୋଲ ପମ୍ପ ସାମ୍ନା, ମଧୁବାବୁ ଛକ, ବସଷ୍ଟାଣ୍ଡ ଓ ଥାନା ସମ୍ମୁଖ ରାସ୍ତାରେ ଟାୟାର ଜାଳି ଉତ୍ୟକ୍ତ ଲୋକ ବିକ୍ଷୋଭ କରୁଛନ୍ତି । ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତକୁ ଚିହ୍ନଟ ପରେ ଧରପଗଡ଼ ଆରମ୍ଭ ହୋଇଥିଲା। ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରିବା ପରେ ପୁଲିସ ଅଜଣା ସ୍ଥାନରେ ରଖିଥିବା ଜଣାପଡିଛି । ସେହିପରି ଦୁଇ ସହଯୋଗୀଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି । ଗତକାଲି ସଂଧ୍ୟାରେ ଜଙ୍ଗଲରୁ ନାବାଳିକାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହେବା ପରେ ଚାନ୍ଦବାଲି ସହରରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ଟାୟାର ଜାଳି ନ୍ୟାୟ ଦାବିରେ ରାସ୍ତାରୋକ କରିଛନ୍ତି । ସୂଚନା ମୁତାବକ, ଚାନ୍ଦବାଲି ଅଞ୍ଚଳର ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ୧୦ ବର୍ଷର ନାବାଳିକା ଅପରାହ୍ଣ ପ୍ରାୟ ୨ଟା ବେଳେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲା । ସଂଧ୍ୟା ହେବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ ।