ଭୁବନେଶ୍ୱର,୨୩/୧୨: ସୁନା ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ହୁହୁ ହୋଇ ବଢୁଛି ସୁନାର ଦାମ୍ । ସୋମବାର ସାରା ଦେଶରେ ସୁନା ଦର ବଢିଛି । ଘରୋଇ ବଜାରରେ ସୁନା ଏବଂ ରୁପା ଦରରେ ଅହେତୁକ ବୃଦ୍ଧି ପରିଲକ୍ଷିତ ହୋଇଛି । ୟୁଏସ ଫେଡେରାଲ ରିଜର୍ଭ ସୁଧା ହାର ହ୍ରାସ କରିବା ପରେ ସାରା ବିଶ୍ୱରେ ଦାମୀ ଧାତୁର ଦାମରେ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ବିବାହ ଋତୁ ଥିବାରୁ ଭାରତରେ ସୁନାର ଚାହିଦା ଅଧିକ ରହିଛି । ମୁମ୍ବାଇ ସମେତ ଦିଲ୍ଲୀରେ ସୁନା ଦାମ୍ ବଢିଛି । ସେହିପରି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ୧୦ ଗ୍ରାମ୍ ଦର ୨୪ ଶହ ଟଙ୍କା ବୃଦ୍ଧି ପାଇଛି । ୧୦ ଗ୍ରାମ୍କୁ ଲକ୍ଷେ ୩୮ ହଜାର ୫ ଶହ ୫୦ ଟଙ୍କା ହୋଇଛି । ୨୨ କ୍ୟାରେଟ୍ ୨୨ ଶହ ବୃଦ୍ଧି ପାଇ ହେଲା ଲକ୍ଷେ ୨୭ ହଜାର । ଚଳିତ ବର୍ଷ ସୁନା ରେଟ୍ ପୂର୍ବବର୍ଷ ଅପେକ୍ଷା ୮୦ ପ୍ରତିଶତ ଅଧିକ ରହିଛି । କିନ୍ତୁ କିଛି ବିଶେଷଜ୍ଞ ୨୦୨୬ରେ ସୁନା ଦରରେ ୨୦ ପ୍ରତିଶତ ହ୍ରାସ ପାଇବ ବୋଲି ମଧ୍ୟ ମତ ଦେଉଛନ୍ତି ।