ବାରବାଟୀରେ ମ୍ୟାଚ ଦେଖିବାକୁ ଅପେକ୍ଷାରେ ଦର୍ଶକ, ଖେଳ ଦେଖିବାକୁ ଯାଉଥିଲେ କେଉଁଠି କରିବେ ପାର୍କିଂ?

ଭୁବନେଶ୍ୱର,୦୯/୧୨: ସରିଲା ପ୍ରତୀକ୍ଷା । ବାସ ଆଉ କେଇ ଘଣ୍ଟାକୁ ଅପେକ୍ଷା । ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ । ୫ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବାରବାଟୀରୁ ଆରମ୍ଭ ହେବ ।  ବାରବାଟୀ ମ୍ୟାଚ୍ ପାଇଁ କଟକ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।
ଜିଆରପି ଓ ଆରପିଏଫ୍ ପକ୍ଷରୁ ୩୦ଜଣିଆ ସ୍ବତନ୍ତ୍ର ଟିମ୍ ପ୍ଲାଟଫର୍ମରେ ନିୟୋଜିତ ହୋଇଛନ୍ତି। କଟକ ଷ୍ଟେସନରେ ୧୧୦ଟି ଉଭୟ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ୍ ଚାଲିବ।
ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ କଟକ ରେଳ ଷ୍ଟେସନରୁ ‘ଆମ ବସ୍’ ସିଧା ବାରବାଟୀକୁ ଚଳାଚଳ କରିବ। ଅପରାହ୍ଣ ସାଢ଼େ ୩ଟାରୁ ୨୦ଟି ‘ଆମ ବସ୍’ ଚଳାଚଳ କରିବ। ଏହି ବସ୍ ଜୟଦେବବିହାର ଛକ-କିଟ୍ ଛକ, ନନ୍ଦନକାନନ, ଜୁଡିସିଆଲ୍ ଏକାଡେମୀ, ସତୀଚଉରା ଦେଇ ଚଳାଚଳ କରିବ।

ଭୁବନେଶ୍ବର ରେଳ ଷ୍ଟେସନ୍‌ରୁ ବାରବାଟୀ ଷ୍ଟାଡିୟମ୍‌ ଯିବାକୁ ଥିବା ବସ୍ ବାଣୀବିହାରରୁ ଲିଙ୍କରୋଡ୍, ସିଏନବିଟି, ଜୁଡିସିଆଲ୍ ଏକାଡେମି, ସତୀଚଉରା ଦେଇ ବାରବାଟୀରେ ପହଞ୍ଚିବ। ସିଏନବିଟିକୁ ପୂର୍ବ ଭଳି କଟକ-ଭୁବନେଶ୍ବର ରାସ୍ତାରେ ଚଳାଚଳ କରୁଥିବା ୧୬୦ଟି ବସ୍ ଚାଲିବଏଥିସହ ବାରବାଟୀ ମ୍ୟାଚ୍ ପାଇଁ ଯାତାୟତ ନେଇ କଟକଣା ଲାଗୁ ହୋଇଛି। ଜନସାଧରଣଙ୍କ ଏବଂ ଦର୍ଶକଙ୍କ ପାଇଁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି କମିଶନରେଟ ପୁଲିସ । ସକାଳ ୮ଟାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି କରାଯାଇଛି । ମାତାମଠ ପଟୁ ମହାନଦୀ ରିଂ ରୋଡ୍‌ରେ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ ତଳ ବାଲିଯାତ୍ରା ପଡ଼ିଆରେ ନିଜ ଗାତିଗୁଡିକୁ ପାର୍କିଂ କରି ପାରିବେ। କେବଳ ପାସ୍‌ ଥିବା ଯାନବାହନ ଗୁଡିକ ଉପର ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ। ହାଓ୍ୱଡା ମୋଟର ଛକ ଆଡୁ ଆସୁଥିବା ଗାଡ଼ି ଡିକ୍ ଗ୍ରୀନାର ହୋଟେଲ୍‌ ଛକରୁ ମଧୁସୂଦନ ଛକକୁ ଯାଇପାରିବେ ନାହିଁ। ସେମାନେ ପୁରୁଣା ‘ଲ’ ହଷ୍ଟେଲ ଛକ ଦେଇ ମହାନଦୀ ଗାଁ ରୋଡ୍‌ରେ ତଳ ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ। ଗାଡ଼ିଗୁଡିକ ବିଜୁ ପଟ୍ଟନାୟକ ଛକ କିମ୍ବା ଚଣ୍ଡୀ ଛକ ଆଡ଼ୁ ବାରବାଟୀ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ। କୌଣସି ଯାନବାହନ ଆନନ୍ଦ ଭବନ ଛକରୁ ଭାୟା ଜିଲ୍ଲା ଫୋର୍ଟ ଦେଇ ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ ନାହିଁ। ସେମାନେ କ୍ୟାଣ୍ଟନମେଣ୍ଟ ଥାନା ଛକ ଦେଇ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ରଖିପାରିବେ। ସମାଜ ଅଫିସ ଛକଆଡ଼ୁ ଆସୁଥିବା ଯାନବାହାନ ହନୁମାନ ମନ୍ଦିର ଛକରୁ ସିଧା ମଧୁସୂଦନ ଷ୍ଟାଚ୍ୟୁ ଆଡ଼କୁ ଯାଇ ପାରିବେ ନାହିଁ। ଶିଖରପୁର ଛକରୁ ବାମ ଡିପୋ ପର୍ଯ୍ୟନ୍ତ ଦିନ ୧୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ। ମହାନଦୀ ଓ କାଠଯୋଡ଼ି ଗାଁ ରୋଡ୍, ସହରମଧ୍ୟରେ ଭାରିଯାନ ଚଳପ୍ରଚଳ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିଷେଧ।