ଇଣ୍ଡିଗୋ ବିମାନ ଅଚଳାବସ୍ଥା, ଯାତ୍ରୀମାନଙ୍କୁ ୬୧୦ କୋଟିରୁ ଅଧିକ ଟଙ୍କା ଫେରସ୍ତ

ନୂଆଦିଲ୍ଲୀ, ୦୮/୧୨: ଇଣ୍ଡିଗୋରେ ବିମାନ ଚଳାଚଳରେ ଜାରି ରହିଛି ଅଚଳାବସ୍ଥା । ଲଗାତାର ସପ୍ତମ ଦିନ ପାଇଁ ଇଣ୍ଡିଗୋ ବିମାନ ସେବା ପ୍ରଭାବିତ ରହିଛି । ଅନେକ ବିମାନ ଉଡ଼ାଣ ଭରିପାରୁନି । ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ଯାତ୍ରୀଙ୍କ ଆର୍ଥିକ କ୍ଷତି ଭରଣା କରିବା ପ୍ରକ୍ରିୟା ଆରମ୍ଭ କରିଛି ଇଣ୍ଡିଗୋ । ଏହା ମଧ୍ୟରେ ଯାତ୍ରୀମାନଙ୍କୁ ୬୧୦ କୋଟିରୁ ଅଧିକ ଟଙ୍କା ଫେରାଯାଇଛି ଏବଂ ଦେଶବ୍ୟାପୀ ୩ ହଜାର ଲଗେଜ୍ ଫେରସ୍ତ କରିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି ।

ଡିସେମ୍ବର ୫ରୁ ଆରମ୍ଭ ହୋଇଥିବା ଇଣ୍ଡିଗୋ ପରିଚାଳନାଗତ ତ୍ରୁଟି ପାଇଁ ହଜାର ହଜାର ବିମାନ ଉଡ଼ାଣ ବାତିଲ୍‌ ହୋଇଛି । ୭ ଡିସେମ୍ବର ସୁଦ୍ଧା ୧ ହଜାର ୬୫୦ଟି ବିମାନ ଚାଲୁ ହୋଇଛି । ୧୦ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ସ୍ଥିରତା ଆଶା କରାଯାଉଛି । ଆସନ୍ତା ୧୫ ଡିସେମ୍ବର ପର୍ଯ୍ୟନ୍ତ ବାତିଲ ସମୟ ପରିବର୍ତ୍ତନ ପାଇଁ କୌଣସି ଫି ନିଆଯିବ ନାହିଁ ।