ଭୁବନେଶ୍ୱର,୦୭/୧୨: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା । ସବୁଠି ଏବେ ଅସହ୍ୟ ଶୀତ ଲହରି ଜାରି ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଯେଭଳି ଭାବେ ହ୍ରାସ ପାଇଛି, ତାହା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ବିଶେଷ କରି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ସବୁଠାରୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି, ଯାହାକି ମାତ୍ର ୪.୪ ଡିଗ୍ରି ରହିଛି । ସେହିପରି ଇସ୍ପାତ ନଗରୀ ରାଉରକେଲାରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି, ଯେଉଁଠାରେ ପାରଦ ୭.୨ ଡିଗ୍ରିକୁ ଖସି ଆସିଛି । ରାଜ୍ୟର ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ଶୀତର ପ୍ରକୋପ ବୃଦ୍ଧି ପାଇଛି । କଟକରେ ୧୧.୮ ଏବଂ ଭୁବନେଶ୍ୱରରେ ୧୧.୯ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି, ଯାହା ଫଳରେ ସହରବାସୀ କଲବଲ ହେଉଛନ୍ତି । ଅନ୍ୟାନ୍ୟ ସହର ମଧ୍ୟରେ ଝାରସୁଗୁଡ଼ାରେ ୭.୬, କେନ୍ଦୁଝରରେ ୯.୬, ସମ୍ବଲପୁରରେ ୧୨, ହୀରାକୁଦରେ ୧୩.୩, ବାଲେଶ୍ବରରେ ୧୩.୬, ପାରାଦୀପରେ ୧୩.୯ ଏବଂ ଚାନ୍ଦବାଲିରେ ୧୪ ଡିଗ୍ରି ତାପମାତ୍ରା ରହିଛି । ଶୀତର ପ୍ରକୋପ ଏତେ ଅଧିକ ରହିଛି ଯେ, ସକାଳ ୯ଟା ପୂର୍ବରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଦିନ ୪ଟା ପରେ ଥଣ୍ଡା ବାଘ ଭଳି ମାଡ଼ି ଆସୁଥିବାରୁ ସନ୍ଧ୍ୟା ହେବା ମାତ୍ରେ ରାସ୍ତାଘାଟ ଶୁନଶାନ୍ ହୋଇଯାଉଛି । କନ୍ଧମାଳ, କୋରାପୁଟ ଓ ସୁନ୍ଦରଗଡ଼ ଭଳି ପାହାଡ଼ିଆ ଜିଲ୍ଲାଗୁଡିକରେ ସ୍ଥିତି ଅସମ୍ଭାଳ ହୋଇପଡିଛି ।