ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ, କମିବ କିସ୍ତି ଟଙ୍କା

ଭୁବନେଶ୍ୱର,୦୬/୧୨: ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ କରିଛି । ଫଳରେ ଆଗାମୀ ଦିନରେ ଋଣ ନେଇଥିବା ଗ୍ରାହକମାନଙ୍କ ମାସିକ କିସ୍ତି ବା ଇଏମ୍‌ଆଇରେ ହ୍ରାସ ହେବ। ଏଥିସହିତ ବ୍ୟାଙ୍କ ଓ ଆର୍ଥିକ ଅନୁ‌ଷ୍ଠାନଗୁଡ଼ିକ ଋଣ ସୁଧ କମ୍ କରିବା ଆଶା ଦେଖାଦେଇଛି । ରେପୋ ହାର ୫.୫ ପ୍ରତିଶତରୁ ହ୍ରାସ ପାଇ ୫.୨୫ ପ୍ରତିଶତ ହୋଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଘୋଷଣା କରିଛନ୍ତି। ଏହା ପୂର୍ବରୁ ଗତ ଜୁନ୍‌ରେ ରେପୋ ହାର ୬ ପ୍ରତିଶତରୁ ହ୍ରାସ ପାଇ ୫.୫ ପ୍ରତିଶତ ହୋଇଥିଲା। ରେପୋ ହାରରେ ହ୍ରାସ ଦ୍ବାରା ଘର ଓ ଗାଡ଼ି କିଣିବାକୁ ଋଣ ନେଇଥିବା ଗ୍ରାହକମାନଙ୍କ ଇଏମ୍‌ଆଇ ବୋଝ କମ୍ ହୋଇଥାଏ ।

ମୁଦ୍ରାସ୍ଫୀତି ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଆକଳନ କରିଛି ଯେ ୨୦୨୫-୨୬ ବର୍ଷ ସାରାରେ ତାହା ୨ ପ୍ରତିଶତ ମଧ୍ୟରେ ରହିବ। ୨୦୨୬-୨୭ର ପ୍ରଥମ ତ୍ରୈମାସିକରେ ତାହା ୩.୯ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ। ରିଜର୍ଭ ବ୍ୟାଙ୍କ ମୋଟ ଘରୋଇ ଉତ୍ପାଦ (ଜିଡିପି) ଆକଳନକୁ ମଧ୍ୟ ବଦଳାଇଛି । ପୂର୍ବରୁ ଏହା କହିଥିଲା ଯେ ୨୦୨୫-୨୬ରେ ଅଭିବୃଦ୍ଧି ହାର ୬.୮ ପ୍ରତିଶତ ରହିବ । ଏବେ କିନ୍ତୁ କହିଛି ଯେ ତାହା ୭.୩ ପ୍ରତିଶତକୁ ବୃଦ୍ଧି ପାଇବ। ଗତ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୮.୨ ପ୍ରତିଶତ ଭଳି ଉଚ୍ଚସ୍ତରରେ ଥିଲା।