ଡିସେମ୍ବର ୧ ତାରିଖରୁ ଖୋଲିବନି ଗୁଣ୍ଡିଚା ମନ୍ଦିର, ସାମୟିକ ଭାବେ ସ୍ଥଗିତ

ଭୁବନେଶ୍ୱର,୨୯/୧୧: ଡିସେମ୍ବର ୧ ତାରିଖରୁ ଖୋଲିବନି ଗୁଣ୍ଡିଚା ମନ୍ଦିର । ସର୍ବସାଧାରଣଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବା ପ୍ରସ୍ତାବ ସାମୟିକ ଭାବେ ସ୍ଥଗିତ । ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଏବଂ ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କ ଜରୁରୀ ରିପୋର୍ଟ ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି l ପରିଚାଳନା କମିଟିର ପରାମର୍ଶ ଅନୁସାରେ କିଛିଦିନ ତଳେ ଶ୍ରୀଗୁଣ୍ଡିଚା ମନ୍ଦିରର ଅନୁଧ୍ୟାନ କରାଯାଇଥିଲା। ଡିସେମ୍ବର ୧ରୁ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବା ନେଇ ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ତେବେ ଏହା ଭିତରେ ଶ୍ରୀଗୁଣ୍ଡିଚା ମନ୍ଦିରର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ପାଇଁ ଆହୁରି ଅଧିକ ସମୟ ଆବଶ୍ୟକ ବୋଲି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରିପୋର୍ଟ ଦେଇଛନ୍ତି l ଏଥିସହ ମନ୍ଦିର ମଧ୍ୟରେ ଷ୍ଟିଲ ବିମ୍ ଲଗାଯିବା ପ୍ରସ୍ତାବ ଓ ଖଣ୍ଡୋଲାଇଟ୍ ପଥର ଲଗା କାମ ବାକି ଥିବା ଦର୍ଶାଇଛନ୍ତି l ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ପରିସର ଉଦ୍ୟାନ ଗୁଡିକ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ସଫେଇ ଏବଂ ଉନ୍ନତିକରଣ ଜରୁରୀ ଥିବା ବରିଷ୍ଠ ସୁପରଭାଇଜର୍ ରିପୋର୍ଟ ଦେଇଛନ୍ତି l ଏହାକୁ ବିଚାରକୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି ।