ରାଜ୍ୟରେ ୨୦ ହଜାର ୧୫୦ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯/୧୧: ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ ଭଳି ତୃତୀୟ ଦିନ ସ୍ବାଭାବିକ ଭାବେ ଚାଲିଛି । ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ହୋଇଛି ଆଲୋଚନା । ଗୃହରେ ଅଙ୍ଗନବାଡି କେନ୍ଦ୍ରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଧାୟକ । ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ରାଜ୍ୟରେ ୨୦ ହଜାର ୧୫୦ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ଏଥିସହ ୭୩୮୯ଟି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣଧୀନ ଅଛି । ୪୫୭୪ ଅଙ୍ଗନବାଡ଼ି ସ୍କୁଲ ଘରେ ଚାଲିଛି । ରାଜ୍ୟରେ ମୋଟ ୭୪ ହଜାର ୨୨୪ ଅଙ୍ଗନୱାଡି କେନ୍ଦ୍ର ରହିଛି । ସେଥିରୁ ୫୪ ହଜାର ୭୪ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ଵ ଗୃହରେ ଚାଲିଛି । ୧୦ ହଜାର ୪୧୬ ମିନି ଅଙ୍ଗନୱାଡି କେନ୍ଦ୍ର ସରକାରଙ୍କ ମୁଖ୍ୟ ଅଙ୍ଗନବାଡ଼ିକୁ ରୂପାନ୍ତର ହୋଇଛି । ସବୁ ଅଙ୍ଗନବାଡି ପାଇଁ ନିଜସ୍ଵ ଗୃହ ହେବ । ୧୦ ହଜାର ୪୬୯ କମ୍ୟୁନିଟି ଗୃହରେ ଚାଲିଛି । ୩ ହଜାର ୮୯୦ ଭଡ଼ା ଘରେ ଚାଲିଛି । ତେବେ ସବୁ ଅଙ୍ଗନୱାଡି ପାଇଁ ନିଜସ୍ଵ ଗୃହ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । କହିଛନ୍ତି,ସକ୍ଷମ ଅଙ୍ଗନୱାଡ଼ି ଜରିଆରେ ଗୃହ ନିର୍ମାଣ ପାଇଁ ଯୋଜନା ଚାଲିଛି । ଯେଉଁଠି ସ୍ଥାନ ମିଳିବ ନାହିଁ ପଞ୍ଚାୟତିରାଜ ବିଭାଗ ଠାରୁ ଜାଗା କିଣି ନିର୍ମାଣ ହେବ । ପୂର୍ବରୁ ୭ ଲକ୍ଷ ଟଙ୍କାରେ ନିର୍ମାଣ ହେଉଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ୧୨ ଲକ୍ଷ ଓ ଏବେ ୧୫ ଲକ୍ଷରେ ପହଞ୍ଚିଛି । ମହିଳା ଓ ଶିଶୁ ବିକାଶ ବିଭାଗ ନିଜସ୍ଵ ଅର୍ଥରେ ଅଙ୍ଗନୱାଡ଼ି ନିର୍ମାଣ କରିବ ।