ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ହରାଇ ବିଶ୍ବକପ୍‌ ଜିତିଲା ଭାରତ

ଭୁବନେଶ୍ୱର,୩/୧୧: ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ବିଶ୍ବକପ ଜିତିଛି।   ବିଶ୍ବକପ୍‌ ଜିତି ଦୀର୍ଘ ୨୫ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି। ୨୦୦୫ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ଏବଂ ୨୦୧୭ ଫାଇନାଲ୍‌ରେ ଇଂଲଣ୍ଡଠାରୁ ହାରି ରନର୍ସଅପ୍‌ ହୋଇଥିବା ଭାରତୀୟ ଦଳ ତୃତୀୟ ଥର ଫାଇନାଲ୍ ଖେଳି ପ୍ରଥମ ଥର ବିଶ୍ବ ବିଜେତା ହୋଇଛି। ନବି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ରବିବାର ରାତିରେ ଭାରତୀୟ ମହିଳା ଦଳ ରୋମାଞ୍ଚକ ଭାବେ ପ୍ରଥମ ଥର ଫାଇନାଲିଷ୍ଟ୍‌ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ହରାଇ ଏହି ଐତିହାସିକ କ୍ଷଣକୁ ସାଉଁଟି ନେଇଛି। ପୁରୁଷ ଦଳର ୪ ବିଶ୍ବ ମୁକୁଟକୁ ମିଶାଇଲେ ଏହା ଭାରତର ପଞ୍ଚମ ଆଇସିସି ବିଶ୍ବକପ୍‌ ବିଜୟ ।