ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା, ୯ ମୃତ

ନୂଆଦିଲ୍ଲୀ,୧/୧୧: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ସ୍ଥିତ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଏକ ବଡ଼ ଧରଣର ଦଳାଚକଟା ଘଟିଛି। ଯେଉଁଥିରେ ୯ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି । ଏକାଦଶୀ ପର୍ବ ପାଇଁ ପ୍ରବଳ ଭିଡ଼ ଜମିଥିବା ବେଳେ ଏହି ଅଘଟଣ ଘଟିଛି । ସୂଚନା ଅନୁସାରେ , ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଏକ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହା ଫଳରେ ଏହି ଦୁଃଖଦ ଘଟଣା ଘଟିଛି । ଏକାଦଶୀ ଥିବାରୁ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ପରେ ଭିଡ ଅଣଆୟତ ହୋଇପଡିଥିଲା । ଶ୍ବାସରୁଦ୍ଧ ହୋଇ ଅଧିକାଂଶ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନେକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ଏବଂ ଜରୁରୀକାଳୀନ ସେବା ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଆହତମାନଙ୍କୁ ସହାୟତା ଯୋଗାଇ ଦେଇଛନ୍ତି । ଏହି ଘଟଣା ଏକାଦଶୀ ପର୍ବର ଉତ୍ସାହକୁ ଦୁଃଖରେ ପରିଣତ କରିଦେଇଛି ଏବଂ ଆନ୍ଧ୍ରପଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନେକ ଲୋକ ମୃତାହତଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ।