ଆଗକୁ ବଢ଼ୁଛି ବାତ୍ୟା ମୋନ୍ଥା, ଏବେ ୧୫ ନୁହେଁ ୧୮କିମି ବେଗରେ ମାଡି ଆସୁଛି

ଭୁବନେଶ୍ୱର,୨୭/୧୦: ସମୁଦ୍ର ଭିତରେ ସ୍ପିଡ୍ ବଢ଼ାଇ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବାତ୍ୟା ମୋନ୍ଥା । ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଥିବାବେଳେ, ଏବେ କିନ୍ତୁ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ଗତ ୬ ଘଣ୍ଟା ଧରି ଏହା ସମୁଦ୍ର ଭିତରେ ଘଣ୍ଟା ପ୍ରତି ୧୮ କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ବର୍ତ୍ତମାନ ସମୟରେ ଏହା ଚେନ୍ନାଇଠାରୁ ୫୨୦ କିଲୋମିଟର ଦୂରରେ ଥିବାବେଳେ, କାକିନାଡ଼ାଠାରୁ ୫୭୦ କିଲୋମିଟର ଦୂରରେ ରହିଛି । ସେହିପରି ବିଶାଖାପାଟଣାଠାରୁ ୬୦୦ କିଲୋମିଟର ଏବଂ ଗୋପାଳପୁରଠାରୁ ୭୫୦ କିଲୋମିଟର ଦୂରରେ ଅଛି । ତେବେ ୨୮ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ଏହା ସ୍ଥଳଭାଗ ଛୁଇଁବ । ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ମଧ୍ୟରାତ୍ରିରେ ବାତ୍ୟାରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ବାତ୍ୟା ମୋନ୍ଥା ସମୁଦ୍ର ଭିତରେ ବଳ ଗୋଟାଇ ଆଗକୁ ବଢୁଛି । ପାଣିପାଗ ବିଭାଗର କହିବା ମୁତାବକ, ୨୮ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ମୋନ୍ଥା। ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ଓ ଝଟକା ପବନର ବେଗ ୧୧୦ କିଲୋମିଟର ଯାଏ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା ଦିଆଯାଇଛି।