ନୂଆଦିଲ୍ଲୀ,୨୬/୧୦: ବିହାରରେ ନୀତିଶ ସରକାର ରାଜ୍ୟର ଜୀବିକା ମାଆମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ବାଣ୍ଟି ମହିଳା ଭୋଟ ହାତେଇବାକୁ ଚେଷ୍ଟା କରିଥିବା ବେଳେ ବିରୋଧୀ ଆରଜେଡି ବିହାରବାସୀଙ୍କୁ ପ୍ରତିଶ୍ରୁତିର ପାହାଡ଼ ଉପରେ ଠିଆ କରିଦେଇଛି । ଆରଜେଡିର ନେତା ତେଜସ୍ୱୀ ଯାଦବ ଏକ ସାମ୍ବାଦିକ ସମ୍ମିଳନୀ କରି ବିହାରବାସୀଙ୍କୁ ୫ ଟି ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି କି, ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି । ବିହାରବାସୀ ପରିବର୍ତ୍ତନ ଚାହୁଁଛନ୍ତି। ଚଳିତ ସରକାର ଦୁର୍ନୀତି ଓ ଅପରାଧ ରୋକିବାରେ ବିଫଳ ହୋଇଛି । ହେଲେ ଆମ ସରକାର ଆସିଲେ ଅପରାଧ, ଦୁର୍ନୀତିର ମୂଳପୋଛ ହେବ । ଏହାସହ ସେ ବିହାରବାସୀଙ୍କୁ ଅନୁରୋଧ କରିଛନ୍ତି କି, ବିଜେପି ଓ ଏନଡିଏକୁ ୨୦ ବର୍ଷ ଦେଇଛ, ଆମକୁ ୫ ବର୍ଷ ଶାସନଗାଦିରେ ବସିବାର ସୁଯୋଗ ଦେଇ ଦେଖ । ଆମ ସରକାର ଗଠନ ହେବା ପରେ ପଞ୍ଚାୟତ ପ୍ରତିନିଧୀ ଓ ୱାର୍ଡମେମ୍ବରଙ୍କୁ ଭତ୍ତା ଦ୍ୱିଗୁଣା କରାଯିବ । ଏହାସହ ସେମାନଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ସେମାନଙ୍କ ଜୀବନ ଜୀବିକା ପାଇଁ ସେମାନଙ୍କୁ ପେନସନ୍ ପ୍ରଦାନ କରାଯିବ । କେବଳ ସେତିକି ନୁହେଁ ସେମାନଙ୍କୁ ସରକାରଙ୍କ ତରଫରୁ ୫୦ ଲକ୍ଷ ଟଙ୍କାର ଜୀବନ ବୀମା ଯୋଗାଇଦିଆଯିବ । ଏହାସହ ପିଡିଏସ୍ ସିଷ୍ଟମରେ ଯେଉଁମାନେ ବିତରଣ କରୁଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ମାନଦେୟ ସ୍ଥିର କରାଯିବ ।