ଭୁବନେଶ୍ୱର,୨୮/୦୯: ନବରାତ୍ରି ଅବସରରେ ଚଳଚଞ୍ଚଳ ଶକ୍ତି ପୀଠ। ଆଜି ପୀଠରେ ସପ୍ତମୀ ଥିବା ବେଳେ ମଣ୍ଡପେ ଷଷ୍ଠୀ ପୂଜା ପାଳିତ ହେଉଛି । ଆଜି ନବରାତ୍ର ପୂଜାର ସପ୍ତମ ଦିବସ ଏବଂ ଷୋଡ଼ଶ ଉପଚାର ପୂଜା ପନ୍ଦର ଦିନରେ ପହଞ୍ଚିଛି । ଆଜି ମା’ କାଳରାତ୍ରି ରୂପରେ ପୂଜା ପାଉଛନ୍ତି । ପ୍ରଥମେ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ ପରେ ଆଜି ମା’ କାଳରାତ୍ରି ସ୍ୱରୂପରେ ଧରାପୃଷ୍ଠରେ ଦର୍ଶନ ଦେଉଛନ୍ତି । ମା’ ଆଜି ତ୍ରିନେତ୍ର ସହିତ ହାତରେ ଲୌହ ଖଡ଼ଗ ଓ ଖର୍ପର ଏବଂ ରାତ୍ରି ଅନ୍ଧକାର ସଦୃଶ୍ୟ କଳା ଶରୀର ଧାରଣ କରିବେ । ସୂଚନା ଅନୁସାରେ, ପ୍ରତିବର୍ଷ ଦଶହରା ସମୟରେ ମା’ ଙ୍କର ଷୋହଳ ପୂଜା କରାଯାଏ । ଚଳିତବର୍ଷ ମୂଳାଷ୍ଟମୀ ଠାରୁ ଖଣ୍ଡାଧୁଆ ନୀତି ଆରମ୍ଭ ହୋଇଥିଲା । ପ୍ରତିଦିନ ଯନ୍ତ୍ର-ତନ୍ତ୍ର-ମନ୍ତ୍ରରେ ପୂଜା ସହ ମା’ଙ୍କର ଷୋଡ଼ଶ ଉପଚାର କରାଯାଉଛି ଆଜି ହେଉଛି ମା’ଙ୍କ ସପ୍ତମୀ ପୂଜା । ଆଜି ସପ୍ତମୀ ଥିବା ବେଳେ ନବ ଦିନାତ୍ମକ ପୂଜା ପୀଠ ମାନଙ୍କରେ ମା’ଙ୍କୁ କାଳରାତ୍ରି ବେଶରେ ପୂଜା ପାଆନ୍ତି ।