ନୂଆଦିଲ୍ଲୀ,୨/୦୮: ପୂର୍ବତନ ଜେଡିଏସ୍ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କୁ ଆଜୀବନ କାରାଦଣ୍ଡ ଦେଲେ କୋର୍ଟ। ଆଜି ତାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ମହୀଶୂର କେଆର୍ନଗରର ଜଣେ ଘରୋଇ ସହାୟିକାଙ୍କ ଦ୍ୱାରା ଦାୟର ହୋଇଥିବା ଦୁଷ୍କର୍ମ ମାମଲାରେ ପ୍ରଜ୍ୱଲଙ୍କୁ ଆଜି ଜନପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ। ମାମଲା ରୁଜୁ ହେବାର ମାତ୍ର ୧୪ ମାସ ପରେ ରାୟ ପ୍ରକାଶ ପାଇଥିଲା ଏବଂ ଶୁଣାଣି ମଧ୍ୟ ଶେଷ ହୋଇଛି। ସିଆଇଡିର ସାଇବର କ୍ରାଇମ୍ ଷ୍ଟେସନରେ ରୁଜୁ ହୋଇଥିବା ଏହି ମାମଲାରେ ରେବନ୍ନା ମହିଳାଙ୍କୁ ଦୁଇ ଥର ଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡିଂ କରିଥିବା ଅଭିଯୋଗ ହୋଇଥିଲା। ତଦନ୍ତ ଓ ଶୁଣାଣି ସମୟରେ ପୀଡ଼ିତା ପ୍ରମାଣ ସ୍ୱରୂପ ଏକ ଶାଢି ଦାଖଲ କରିଥିଲେ, ଯାହାକୁ ସେ ସଂରକ୍ଷିତ ରଖିଥିଲେ। ପରେ ଫରେନସିକ୍ ବିଶ୍ଳେଷଣରୁ ଶାଢିରେ ଶୁକ୍ରାଣୁ ଲାଗିଥିବା ଜଣାପଡ଼ିଥିଲା, ଯାହାକୁ ମୁଖ୍ୟ ପ୍ରମାଣ ଭାବରେ ଗ୍ରହଣ କରାଯାଇଥିଲା। ଆଇପିସି ଓ ଆଇଟି ଆଇନ, ୨୦୦୮ର ସମ୍ପୃକ୍ତ ଧାରା ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଥିଲା। ୨୦୨୪ ଡିସେମ୍ବର ୩୧ ତାରିଖରୁ ଏହି ବିଚାର ଆରମ୍ଭ ହୋଇଥିଲା। ପରବର୍ତ୍ତୀ ୭ ମାସ ମଧ୍ୟରେ କୋର୍ଟ ୨୩ ଜଣ ସାକ୍ଷୀଙ୍କୁ ପଚରାଉଚରା କରିବା ସହ ଭିଡିଓ କ୍ଲିପ୍ର ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି ରିପୋର୍ଟ ଏବଂ ଘଟଣାସ୍ଥଳରୁ ସ୍ପଟ୍ ଯାଞ୍ଚ ରିପୋର୍ଟର ସମୀକ୍ଷା କରିଥିଲେ। ଯେଉଁ ଧାରାରେ ପ୍ରଜ୍ୱଲ ରେବନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା, ସେଥିରେ ଭିନ୍ନ ଭିନ୍ନ ଦଣ୍ଡ ରହିଛି।