ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ, ତୃତୀୟ କିସ୍ତି ପରେ ପୁଣିଥରେ ଖୋଲିବ ସୁଭଦ୍ରା ପୋର୍ଟାଲ

ଭୁବନେଶ୍ୱର,୩୦/୦୭: ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆସିଲା ଖୁସି ଖବର । ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଅଗଷ୍ଟ ୯ ତାରିଖରେ ଦିଆଯିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଏହାସହ ଯୋଜନାର ଲାଭ ପାଇଁ ଆବେଦନ କରି ବାଦ ପଡ଼ିଥିବା ୨ ଲକ୍ଷ ମହିଳାଙ୍କ ଆବେଦନ ଉପରେ ପୁଣି ସର୍ଭେ କରାଯାଇ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବେ ସରକାର । ଅନ୍ୟପଟେ ଅଗଷ୍ଟ ୯ ତୃତୀୟ କିସ୍ତି ପରେ ଖୋଲିବ ସୁଭଦ୍ରା ପୋର୍ଟାଲ । ୨୧ ବର୍ଷ ହୋଇଥିବା ଯୁବତୀ କରି ପାରିବେ ଆବେଦନ । ୨ ଲକ୍ଷ ବାଦ ପଡିଥିବା ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆଉ ଥରେ ହେବ ସର୍ଭେ । ଗାଡି କିଣା ଏବଂ ୫ ଏକର ଜମି ଥିବା ସହ ଆଇଟି ରିଟର୍ଣ୍ଣ କରିଥିବାରୁ ସେମାନଙ୍କୁ ବାଦ ଦିଆଯାଇଛି । ସେହିପରି ୯୩ ହଜାର ହିତାଧିକାରୀ ଙ୍କୁ ୬୦ ବର୍ଷ ହୋଇଥିବାରୁ ସାମାଜିକ ଓ ସୁରକ୍ଷା ବିଭାଗକୁ ତାଙ୍କ ଲିଷ୍ଟ ପଠେଇ ଦିଆଯାଇଛି । ସୂଚନା ଥାଉ କି ରାଜ୍ୟର ବିଜେପି ସରକାର ମହିଳାମାନଙ୍କ ଆର୍ଥିକ ବିକାଶ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି । ଏହି ଯୋଜନା ଅଧିନରେ ଏବେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ପ୍ରତି ୬ ମାସରେ ୫ ହଜାର ଟଙ୍କା ପାଉଛନ୍ତି । ଯାହା ରାଜ୍ୟର ମହିଳା ମାନଙ୍କ ବିକାଶରେ ସହାୟକ ହେଉଥିବା ସରକାର କହୁଛନ୍ତି ।