ନୂଆଦିଲ୍ଲୀ,୨୯/୦୭: ବୋଲବମ୍ ଯାତ୍ରା ସମୟରେ ଘଟିଲା ଏକ ଭୟଙ୍କର ଦୁର୍ଘଟଣା । ଝାଡ଼ଖଣ୍ଡ ଦେଓଘର ଜିଲ୍ଲାର ଜାମୁନିଆ ଜଙ୍ଗଲ ନିକଟରେ କାଉଡ଼ିଆମାନଙ୍କୁ ନେଇ ଯାଉଥିବା ଏକ ବସ୍ ସହିତ ସିଲିଣ୍ଡର ବୋଝେଇ ଟ୍ରକ୍ର ମୁହାଁମୁହିଁ ଧକ୍କା ହେବାରୁ ୧୮ ଜଣ କାଉଡିଆଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଆଜି ଭୋର ପ୍ରାୟ ୪:୩୦ ସମୟରେ ଦୁମକା ଜୋନ୍ ଅଧୀନରେ ଥିବା ମୋହନପୁର ଥାନା ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶ୍ରାବଣ ମାସରେ ୩୨ ଜଣ କାଉଡ଼ିଆଙ୍କୁ ନେଇ ଏକ ବସ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏମାନେ ବାବା ବୈଦ୍ୟନାଥ ଧାମକୁ ଯାଉଥିବା ସୂଚନା ମିଳିଛି । ଜଣେ ପୁଲିସ ଅଧିକାରୀ କହିଛନ୍ତି, “ଧକ୍କା ଏତେ ଜୋରରେ ହୋଇଥିଲା ଯେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।