ନୂଆଦିଲ୍ଲୀ,୨୮/୦୭: ସଂସଦ ମୌସୁମୀ ଅଧିବେଶନରେ ଲୋକସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ହୋଇଛି । ୧୬ ଘଣ୍ଟା ଧରି ଆଲୋଚନା ଚାଲିବ । ତେବେ ଆଜି ଅଧିବେଶନ ଆରମ୍ଭରୁ ବିହାର ଭୋଟର ତାଲିକା ସଂଶୋଧନ ଉପରେ ଆଲୋଚନା ଦାବି କରି ବିରୋଧୀ ହଟ୍ଟଗୋଳ କରିବାରୁ ଗୃହ ବାରମ୍ୱାର ମୁଲତବୀ ରହିଥିଲା ।
ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକି ଆଲୋଚନା କରିବାକୁ ବିରେଧୀ ବାରମ୍ୱାର ଦାବି କରିଥିଲେ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଦାବି କରି ହଟ୍ଟଗୋଳ କରିବାରୁ ସଂସଦ ସ୍ୱାଭାବିକ ଚାଲି ପାରିନଥିଲା । ବାରମ୍ବାର ମୁଲତବୀ ରହିଥିଲା ଉଭୟ ଗୃହ । ଶେଷରେ ସଂସଦର ମୌସୁମୀ ଅଧିବେଶନର ଷଷ୍ଠଦିନରେ ଲୋକସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ଆରମ୍ଭ ହୋଇଛି ।
ଲୋକସଭାରେ ୧୬ ଘଣ୍ଟା ପାଇଁ ଅପରେସନ ସିନ୍ଦୂର ଉପରେ ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ସରକାରଙ୍କ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରମୁଖ ଆଲୋଚନାରେ ଭାଗ ନେଉଛନ୍ତି । ଆସନ୍ତାକାଲି ରାଜ୍ୟସଭାରେ ଆଲୋଚନା କରାଯିବ । ହଟ୍ଟଗେୋଳ ଯୋଗୁ ଆଜି ରାଜ୍ୟସଭା ମୁଲତବି ରହିଛି ।