ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଦର୍ଶନ ପାଇଁ ଅପେକ୍ଷାରେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୨୬/୦୬: ଆସନ୍ତାକାଲି ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା । ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ ତଥା ନବଯୌବନ ଦର୍ଶନ । ଅଣସର ଘରେ ଗୁପ୍ତ ନୀତି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ବିଳମ୍ୱିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି । ୧୫ ଦିନର ଅଣସର ଶେଷ କରି ଆଜି ଶ୍ରୀବିଗ୍ରହ ଅଣସର ପିଣ୍ଡିରୁ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ମହାବାହୁ । ସକାଳ ୮ଟାରୁ ଆରମ୍ଭ ହେବ ପାରିମାଣିକ ଦର୍ଶନ । ଘଣ୍ଟାଏ ପାରିମାଣିକ ଦର୍ଶନ ପରେ ସକାଳ ୯ଟାରୁ ସାଢେ ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ଚାଲିବ । ଚଳିତ ବର୍ଷ ଚତୁର୍ଦ୍ଧାମୂର୍ତ୍ତି ମାତ୍ର ଅଢ଼େଇ ଘଣ୍ଟା ନବଯୌବନ ବେଶରେ ଦର୍ଶନ ଦେବେ । ଏହାପରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି । ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ମଧ୍ୟ ଗୋଟିଏ ଦିନରେ ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କ ନବଯୌବନ ବେଶ ଦର୍ଶନ ଲାଗି ପ୍ରତିବର୍ଷ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥାଏ । ଭକ୍ତଙ୍କ ଭିଡ଼କୁ ଆଖିରେ ରଖି ଶ୍ରୀମନ୍ଦିର ଭିତରେ ଓ ବାହାରେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତାକାଲି ସକାଳ ୯ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ । ୯ଟା ୧୫ରେ ମଙ୍ଗଳାର୍ପଣ ପରେ ୯ଟା ୩୦ରୁ ପହଣ୍ଡି ଆରମ୍ଭ ହେବ । ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଦାରୁବିଗ୍ରହ ରଥାରୁଢ ହେବେ । ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ହେବା ସହ ଚାରମାଳ ଫିଟାଯାଇ ଅପରାହ୍ନ ୪ଟାରେ ରଥଟଣା ହେବ ।