ଭୁବନେଶ୍ୱର,୧୭/୦୬: ରାଜ୍ୟରେ ବ୍ୟାପୁଛି ଡାଇରିଆ । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଏବେ ଡାଇରିଆ ବ୍ୟାପୁଥିବାବେଳେ, ଏନେଇ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ସଚିବ । ୫ ଜିଲ୍ଲା ନୁହେଁ ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଦିନ ୧୦ଟା ସୁଦ୍ଧା ୫ ଜିଲ୍ଲାରୁ ୩ ଶହ ନୂଆ କେସ୍ ଚିହ୍ନଟ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ମଙ୍ଗଳବାର ଡାଇରିଆକୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ମଧ୍ୟ ଉପସ୍ଥିତ ଥଲେ । ସ୍ୱାସ୍ଥ୍ୟ ସଚିବ ଏହା ମଧ୍ୟ କହିଛନ୍ତି ଯେ , ଯେଉଁ ରୋଗୀ ହସ୍ପିଟାଲରେ ଆଡମିଟ୍ ହେଉଛନ୍ତି ତାଙ୍କୁ ୨୪ ଘଣ୍ଟିଆ ନୀରିକ୍ଷଣରେ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଡାଇରିଆ ନେଇ ଆଶା, ଅଙ୍ଗନବାଡି ସଚେତନ କରିବା ସହିତ ଗାଁ ଗାଁରେ ମାଇକରେ ପ୍ରଚାର ଚାଲିଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହି ପଦକ୍ଷେପ ଜାରି ରହିବ ବୋଲି ସେ କହିଛନ୍ତି । ଅନ୍ୟପଟେ ପ୍ରତିଦିନ ରାଜ୍ୟସ୍ତରୀୟ ସମୀକ୍ଷା ହେବ । କେନ୍ଦ୍ରୀୟ ଟିମ୍ ମଧ୍ୟ ଗ୍ରାଉଣ୍ଡରେ ଅଛନ୍ତି । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ସହିତ ରାଜ୍ୟ ସରକାର ଆଲୋଚନା କରିବେ । ଏହାସହ ମୌସୁମୀ ବର୍ଷା ହେଉଛି, ତେଣୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।