ନୂଆଦିଲ୍ଲୀ,୧୯/୧୨: ପ୍ରଦୂଷଣରେ ଅଣନିଶ୍ବାସୀ ଦିଲ୍ଲୀବାସି। ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଭୟଙ୍କର ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀ ଓ ଏନସିଆର୍। ଗତ କିଛି ଦିନ ହେବ ଦିଲ୍ଲୀରେ ଏୟାର ଇଣ୍ଡେକ୍ସ କ୍ବାଲିଟି-AIQ ୪୦୦ରୁ ଅଧିକ ରହୁଛି। ଯାହାକୁ ସିଭିୟର କାଟାଗୋରୀରେ ଅନ୍ତର୍ଭୁକ୍ତ କରାଯାଇଛି। ଆଜି ଭୋରରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରାୟ ଜିରୋ ରହିଥିଲା ଭିଜିବିଲିଟି। ଜବାହରଲାଲ ନେହେରୁ ଷ୍ଟାଡିୟମ ଆଖପାଖରେ ବିଷାକ୍ତ କୁହୁଡ଼ିର ଏକ ଘନ ଆସ୍ତରଣ ଦେଖିବାକୁ ମିଳିଥିଲା। ଯେଉଁଠାରେ AQI 349ରେ ‘ଅତି ଖରାପ’ ବର୍ଗରେ ରେକର୍ଡ କରାଯାଇଛି। ଭୋରରୁ ଉଠିଲା ବେଳକୁ ମଧ୍ୟରାତ୍ରି ଭଳି ଅନୁଭବ କରିଥିଲେ ଲୋକ। ବହଳା ଧୂଆଁ ଚାଦରରେ ଢାଙ୍କି ହୋଇ ରହିଥିଲା ଦେଶର କ୍ୟାପିଟାଲ୍ ସିଟି। ଘନ କୁହୁଡ଼ି ଯୋଗୁଁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସେହିପରି ଦିଲ୍ଲୀରେ ବିମାନ ଚଳାଚଳ ବି ପ୍ରଭାବିତ ହୋଇଛି। ବିମାନ ଚଳାଚଳ ବିଳମ୍ବ ସମ୍ଭାବନା ଥିବାରୁ ଏଥିପାଇଁ ଆଡଭାଇଜରୀ ଜାରି କରିଛନ୍ତି ଏୟାର ଇଣ୍ଡିଆ ସମେତ ଅନ୍ୟ ଏୟାର ଲାଇନ୍ସ କର୍ତ୍ତୃପକ୍ଷ।