ନୂଆଦିଲ୍ଲୀ,୨୧/୧୧: ନେପାଳରେ ପୁଣି ଜେନ୍-ଜେଡର ବିଦ୍ରୋହ ! ନେପାଳରେ ଥରେ ସରକାର ଭାଙ୍ଗିଥିବା ଯୁବ ପିଢ଼ିଙ୍କ ପ୍ରଦର୍ଶନ ପୁଣି ଥରେ ତେଜିଛି । ନେପାଳରେ ଯୁବକମାନଙ୍କ ଦ୍ୱାରା ହେଉଥିବା ଉଗ୍ର ବିରୋଧ ପ୍ରଦର୍ଶନ ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଅନେକ ସମ୍ବେଦନଶୀଳ ଅଞ୍ଚଳରେ କର୍ଫ୍ୟୁ ଜାରି କରିଛି। ପ୍ରଦର୍ଶନକାରୀ ଓ ପୁଲିସ୍ ମଧ୍ୟରେ ଘମାଘୋଟ ଲଢ଼େଇ ହେବା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ଲୁହବୁହା ଗ୍ୟାସ୍ ଓ ରବର ଗୁଳି ବ୍ୟବହାର କରିଥିଲେ । ଏପରିକି, ପୁଲିସ୍ କିଛି ରାଉଣ୍ଡ୍ ଫାଙ୍କା ଗୁଳିଚାଳନା କରିବାକୁ ବାଧ୍ୟ ହୋଇଥିଲେ । ରିପୋର୍ଟ ଅନୁଯାୟୀ, ଏହି ହିଂସାତ୍ମକ ସଂଘର୍ଷ ପରେ ଉଭୟ ପଟରୁ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ଗୁରୁତର ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନେପାଳରେ ଦୁର୍ନୀତି ଏବଂ ଦେଶର ରାଜନୈତିକ ବ୍ୟବସ୍ଥା ବିରୋଧରେ ଯୁବପିଢ଼ିର ଏହି ଆନ୍ଦୋଳନ ସରକାରଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ନେପାଳ ପ୍ରଧାନମନ୍ତ୍ରୀ ଶାନ୍ତି ରକ୍ଷା ପାଇଁ ଅପିଲ କରିଛନ୍ତି ।