ଭୁବନେଶ୍ୱର,୨୫/୦୯: ଭିଜିଲାନ୍ସ ଜାଲରେ TPCODL ନିର୍ବାହୀ ଯନ୍ତ୍ରୀ । ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟଙ୍କ ଘରେ ଭିଜିଲାନ୍ସ ରେଡ୍ । ଜଣେ ବୈଦ୍ୟୁତିକ ଠିକାଦାରଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଏବଂ ଗ୍ରହଣ କରିବା ଅଭିଯୋଗରେ ତୁଷାରକାନ୍ତଙ୍କୁ ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ନିର୍ଦ୍ଦେଶାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଠିକାଦାର ତାଙ୍କ କାମ ପାଇଁ ଦେୟ ପାଇବା ପାଇଁ ଯାଇଥିଲେ। ତେବେ ଅଭିଯୁକ୍ତ ନିର୍ବାହୀ ଯନ୍ତ୍ରୀ ବାରମ୍ବାର ଲାଞ୍ଚ ଦାବି କରିବା ପରେ ଠିକାଦାର ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ। ଯୋଜନା ଅନୁସାରେ ଭିଜିଲାନ୍ସ ଦଳ ଦ୍ୱାରା ଜାଲ ବିଛାଯାଇଥିଲା ଅଭିଯୁକ୍ତ ତାଙ୍କ ବାସଭବନ ନିକଟସ୍ଥ ଏକ ପାର୍କରେ ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ମାଡ଼ି ବସିଥିଲା। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ସଫଳ ଅଭିଯାନ ପରେ, ନିର୍ବାହୀ ଯନ୍ତ୍ରୀଙ୍କ ସହ ଜଡିତ ତିନୋଟି ସ୍ଥାନରେ ଏକକାଳୀନ ତଲାସ କରାଯାଇଥିଲା। ତାଙ୍କ ବାସଭବନରୁ ଅତିରିକ୍ତ ୯,୫୩,୨୦୦ ଟଙ୍କା ଜବତ କରାଯାଇଥିଲା। ନିର୍ବାହୀ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି, ଏବଂ ତାଙ୍କ କଥିତ ଦୁର୍ନୀତି କାର୍ଯ୍ୟ ବିଷୟରେ ଅଧିକ ତଥ୍ୟ ଉନ୍ମୋଚନ ପାଇଁ ତଦନ୍ତ ଜାରି ରହିଛି।