ନୂଆଦିଲ୍ଲୀ, ୨୯/୧୨: ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁଲଦୀପ ସିଂ ସେଙ୍ଗରଙ୍କ ଦଣ୍ଡ ସ୍ଥଗିତ ରଖିବା ଉପରେ ସର୍ବୋଚ୍ଚ ଅଦାଲତ ଲଗାଇଲେ ରୋକ୍ । ଏହାସହ ଜାମିନ ମଧ୍ୟ ମିଳିବ ନାହିଁ। ୨୦୧୭ରେ ଉନ୍ନାଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦୧୯ ଡିସେମ୍ବରରେ ଆଜୀବନ କାରାଦଣ୍ଡ ଆଦେଶ ଦିଆଯାଇଥିଲା। ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ସେଙ୍ଗର ଦୋଷୀ ସାବ୍ୟସ୍ତ ହୋଇଥିଲେ। ଡିସେମ୍ବର ୨୩, ୨୦୨୫ରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଦଣ୍ଡକୁ ସ୍ଥଗିତ ରଖି ଜାମିନ ଦେଇଥିଲେ। କୁଲଦୀପ ଏହା ମଧ୍ୟରେ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡ ଭୋଗି ସାରିଛନ୍ତି ।ହାଇକୋର୍ଟଙ୍କ ରାୟ ବିରୋଧରେ ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠ ମାମଲା ଶୁଣାଣି କରି ଆଜି ରାୟ ଦେଇଛନ୍ତି ।