ତେଲେଙ୍ଗାନାର ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା, ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି

ନୂଆଦିଲ୍ଲୀ,୧/୦୭: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାର ପଶାମାଇଲାରାମ ଶିଳ୍ପାଞ୍ଚଳରେ ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଥିଲା । ସିଗାଚି ଇଣ୍ଡଷ୍ଟ୍ରିଜ୍ ନାମକ ଏକ କାରଖାନାରେ ଏହି ବିସ୍ଫୋରଣ ଘଟିଛି, ଯେଉଁଥିରେ ଏପର୍ଯ୍ୟନ୍ତ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ, ସକାଳ ୮:୧୫ରୁ ୯:୩୫ ମଧ୍ୟରେ କାରଖାନାରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ସେଠାରେ ଉପସ୍ଥିତ ୯୦ ଜଣ କର୍ମଚାରୀ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲେ । ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗିଯାଇଥିଲା ଏବଂ ଏହାର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିଲା । ଦୁର୍ଘଟଣା ପରେ ଚାରିଆଡ଼େ ଆତଙ୍କ ଖେଳିଯାଇଥିଲା ।

ଘଟଣା ପରେ ତୁରନ୍ତ NDRF, SDRF ପୋଲିସ ଏବଂ ଅଗ୍ନିଶମ ବାହିନୀର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଆଁ ଲିଭାଇବାରେ ୧୧ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା । ନିଆଁକୁ ନିୟନ୍ତ୍ରଣ କରିବା ଏବଂ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ରୋବୋଟ୍ ମଧ୍ୟ ନିୟୋଜିତ କରାଯାଇଥିଲା । ଉଦ୍ଧାର କାର୍ଯ୍ୟ ମଙ୍ଗଳବାର ପର୍ଯ୍ୟନ୍ତ ଜାରି ରହିଥିଲା । ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିଲା । ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରାରମ୍ଭିକ ମୃତ୍ୟୁ ସଂଖ୍ୟା ୧୨ ଥିଲା, କିନ୍ତୁ ଉଦ୍ଧାର କାର୍ଯ୍ୟ ଆଗକୁ ବଢ଼ିବା ସହିତ ସଂଖ୍ୟା ବୃଦ୍ଧି ପାଇଛି ।