ବିହାର ନିର୍ବାଚନ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଆରଜେଡି ନେତା ତେଜସ୍ୱୀ ଯାଦବ

ନୂଆଦିଲ୍ଲୀ,୨୩/୧୦: ବିହାର ନିର୍ବାଚନରେ ବିରୋଧୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଆରଜେଡି ନେତା ତେଜସ୍ୱୀ ଯାଦବ । ଏନେଇ ମହାମେଣ୍ଟ ତରଫରୁ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । କଂଗ୍ରେସ ନେତାଙ୍କ ସହ ତମାମ ଆଲୋଚନା ପରେ ମହାମେଣ୍ଟ ତରଫରୁ ପ୍ରେସମିଟ୍ କରି ଏହି ଘୋଷଣା କରାଯାଇଛି । କଂଗ୍ରେସ ନେତା ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । ଅଶୋକ ଗେହଲଟ କହିଛନ୍ତି, ବିହାରରେ ମହାମେଣ୍ଟ ପୂରାପୂରି ଭାବେ ଏକଜୁଟ୍ ଅଛି । ଏଥିସହିତ ପୂରା ଶକ୍ତି ଲଗାଇ ନିର୍ବାଚନ ଲଢୁଛି । ମୁଖ୍ୟମନ୍ତ୍ରୀ ଚେହେରା ସମ୍ପର୍କରେ ସେ କହିଛନ୍ତି ଯେ, ସମସ୍ତଙ୍କର ରାୟ ନେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ତେଜସ୍ୱୀ ଯାଦବ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ହେବେ । ଅନ୍ୟପଟେ ଏହା ମଧ୍ୟ କୁହାଯାଇଛି ଯେ, ଯଦି ବିହାରରେ ମହାମେଣ୍ଟ ସରକାର ଗଠନ କରେ ତେବେ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବା ସହିତ ମୁକେଶ ସହନୀ ହେବେ ଉପ-ମୁଖ୍ୟମନ୍ତ୍ରୀ । ତେବେ ଏହି ଘୋଷଣା ଏବେ ବିହାର ରାଜନୀତିକୁ ସରଗରମ କରିଛି । ଆଉ ମହାମେଣ୍ଟକୁ ଏହା ନିର୍ବାଚନରେ କେତେ ଫାଇଦା ଦେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।