ଭୁବନେଶ୍ୱର,୧୨/୧୧: ଭାରତ-ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତୀକ ଟି-ଟ୍ବେଣ୍ଟି ମ୍ୟାଚ ପ୍ରସ୍ତୁତିର ସମୀକ୍ଷା ବୈଠକ ହୋଇଛି । ଓଡିଶାର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ତୃଟିଶୂନ୍ୟ ଭାବେ ଆୟୋଜନ କରିବା ପାଇଁ ଓସିଏ ଓ ରାଜ୍ୟ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟି-ଟ୍ବେଣ୍ଟି ମ୍ୟାଚ୍ । ଏଥିପାଇଁ ଲୋକସେବା ଭବନରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା T-20 ମ୍ୟାଚ୍ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଓଡିଶା କ୍ରିକେଟ୍ ଆସୋସିଏସନ୍ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି । ଏହା ଯେପରି ତୃଟିଶୂନ୍ୟ ଭାବେ ପରିଚାଳିତ ହେବ ଏବଂ ଓଡିଶାର ମର୍ଯ୍ୟାଦା ସୁରକ୍ଷିତ ହେବ, ସେଥିପାଇଁ ସମସ୍ତେ ସଚେତନ ରହିବା ଆବଶ୍ୟକ । ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ମ୍ୟାଚ୍ର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଟିକେଟ୍ କିଣାବିକା, ଦର୍ଶକ ମାନଙ୍କ ପାଇଁ ସୁବ୍ୟବସ୍ଥା, ନିରନ୍ତର ଲାଇଟିଙ୍ଗ ବ୍ୟବସ୍ଥା, ଷ୍ଟାଡିୟମ୍ର ଭିତ୍ତିଭୂମି ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ଏବଂ ଟ୍ରାଫିକ୍ ପରିଚାଳନା ଆଦି ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି । ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ପରିପ୍ରେକ୍ଷୀରେ ଏହି ଅନ୍ତର୍ଜାତୀୟ କ୍ରୀଡା ସମୟରେ ପୋଲିସ୍ ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ପ୍ରତି ଏକ ଫୁଲ୍-ପ୍ରୁଫ୍ ବ୍ୟବସ୍ଥା କରାଯିବା ଆବଶ୍ୟକ । ଏଥିପାଇଁ ପୁଲିସ୍ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।