ନୂଆଦିଲ୍ଲୀ,୨/୦୧: ସ୍ବିଜରଲାଣ୍ଡ କ୍ରାନ୍ସ-ମୋଣ୍ଟାନା ସହରରେ ଏକ ବାରରେ ଭୟଙ୍କର ବିସ୍ଫୋରଣ ଘଟଣାରେ ବଢିଛି ମୃତ୍ୟୁସଂଖ୍ୟା । ୪୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧୫ ରୁ ଅଧିକ ଆହତ ହୋଇଛନ୍ତି । ବିସ୍ଫୋରଣ ‘ଲେ କନ୍ଷ୍ଟେଲେସନ୍-ବାର୍ ଆଣ୍ଡ୍ ଲାଉଞ୍ଜ’ରେ ଘଟିଥିଲା । ବାର୍ରେ ନବବର୍ଷ ଉତ୍ସବ ଚାଲିଥିଲା ଏବଂ ପ୍ରାୟ ୨ ଶହ ଲୋକ ଥିଲେ । ନୂଆବର୍ଷ ସେଲିବ୍ରେସନ ପାଇଁ ବାର୍ ଭିତରେ ଆତସବାଜି ସୋ’ କରାଯାଇଥିଲା । ପାଇରୋଟେକନିକ୍ ଆତସବାଜି ବେଳେ ଏହା ବାରର ଛାତରେ ଥିବା ସାଉଣ୍ଡପ୍ରୁଫିଂ କାଠ ସହ ଲାଗି ଅଗ୍ନିକାଣ୍ଡ ଘଟିଥିଲା । ପରେ ପୂରା ବାରକୁ ବ୍ୟାପି ଯାଇଥିଲା ନିଆଁ । ଭିତରେ ଥିବା ଗ୍ୟାସ୍ ଓ ଆଲକୋହଲରେ ନିଆଁ ଲାଗି ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା । ଲୋକମାନେ ମାତ୍ରାଧିକ ନିଶାରେ ଥିବାରୁ ବାହାରକୁ ଯାଇପାରିନଥିଲେ । ଫଳରେ ଅନେକ ଲୋକ ସେଠାରେ ହିଁ ଜିଅନ୍ତା ଜଳି ଯାଇଥିଲେ । ବିସ୍ଫୋରଣ ପରେ ବାର୍ରୁ ଭୀଷଣ ଧୂଆଁ ଉଠୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।