ସ୍ୱିଗିରେ ଖାଦ୍ୟ ମଗାଇବା ପୂର୍ବ ଅପେକ୍ଷା ହୋଇଯିବ ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫି: ଜାଣନ୍ତୁ କେତେ?

ଭୁବନେଶ୍ୱର,୧୭/୦୮: ସମସ୍ତେ ଏବେ ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଅର୍ଡର କରିବାକୁ ପସନ୍ଦ କରୁଛନ୍ତି। ସେ ପୋଷାକ ହେଉ କିମ୍ବା ଖାଇବା ଜିନିଷ। ଖାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ଆପ ବ୍ୟବହାର କରୁଛନ୍ତି। ଏହାରି ମଧ୍ୟରେ ସ୍ୱିଗିରେ ଖାଦ୍ୟ ମଗାଇବା ପୂର୍ବ ଅପେକ୍ଷା ହୋଇଯିବ ମହଙ୍ଗା । ଏହାର ମୁଖ୍ୟ କାରଣ ହେଉଛି କମ୍ପାନି ଦ୍ୱାରା “ପ୍ଲାଟଫର୍ମ ଫି”ରେ କ୍ରମାଗତ ବୃଦ୍ଧି ପାଇଛି ।  କମ୍ପାନି ଏହି ଫି’କୁ କିଛି ଅଞ୍ଚଳରେ ୧୨ ଟଙ୍କାରୁ ବଢ଼ାଇ ୧୪ ଟଙ୍କା କରିଦେଇଛି ।ବିଶେଷକରି ପାର୍ବଣ ଋତୁରେ ଅଧିକ ଚାହିଦା ରହୁଥିବା ଯୋଗୁଁ ଏହି ବୃଦ୍ଧି କରାଯାଇଛି ବୋଲି କୁହାଯାଉଛି । ଏହା କୌଣସି ନୂଆ କଥା ନୁହେଁ । ଏପ୍ରିଲ ୨୦୨୩ ରେ ସ୍ୱିଗି ମାତ୍ର ୨ ଟଙ୍କାରୁ ପ୍ଲାଟଫର୍ମ ଫି’ ନେବା ଆରମ୍ଭ କରିଥିଲା, ଯାହା ଗତ ଦୁଇ ବର୍ଷ ମଧ୍ୟରେ ୬୦୦% ରୁ ଅଧିକ ବୃଦ୍ଧି ପାଇଛି । ରେଷ୍ଟୁରାଣ୍ଟଗୁଡ଼ିକ ମଧ୍ୟ ସ୍ୱିଗିକୁ ଦେଉଥିବା କମିସନକୁ ଭରଣା କରିବା ପାଇଁ ଆପ୍‌ରେ ଖାଦ୍ୟର ମୂଲ୍ୟ ଅଧିକ ରଖିଥାନ୍ତି, ଯାହା ଫଳରେ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼େ । ଏହି ସବୁ କାରଣରୁ ସ୍ୱିଗିରେ ଖାଦ୍ୟ ମଗାଇବା ଆଗାମୀ ଦିନରେ ଆହୁରି ମହଙ୍ଗା ହୋଇପାରେ ।