ହ୍ୱାଟ୍ସଆପ୍ ଡାଟା ଗୋପନୀୟତା ଉପରେ ମେଟାକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୦୩/୦୨: ସୁପ୍ରିମକୋର୍ଟ ମେଟା ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି ସ୍ପଷ୍ଟ କରିଛନ୍ତି ଯେ, ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଲୋକଙ୍କ ଗୋପନୀୟତା ସହିତ ହେରଫେରକୁ ଏହା ସହ୍ୟ କରାଯିବ ନାହିଁ । ବାଣିଜ୍ୟିକ ଲାଭ ପାଇଁ ଡାଟା ସେୟାରିଂର ବ୍ୟବହାରକୁ କୋର୍ଟ ଗମ୍ଭୀର ଚିନ୍ତାର ବିଷୟ ବୋଲି କହିଛନ୍ତି । ସୁପ୍ରିମକୋର୍ଟ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ତଥ୍ୟ ସେୟାରିଂ ମାମଲାର ଶୁଣାଣି କରି ମେଟାକୁ କଡ଼ା ଭର୍ତ୍ସନା କରିଛନ୍ତି । କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି, ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନାର ବାଣିଜ୍ୟିକ ବ୍ୟବହାରକୁ ଅନୁମତି ଦିଆଯିବ ନାହିଁ । ଶୁଣାଣି ସମୟରେ ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି ଯେ,ଏହି ଅଦାଲତ ଜନସାଧାରଣଙ୍କ ପାଇଁ, କୋଟି କୋଟି ଟଙ୍କା ମୂଲ୍ୟର କୌଣସି ଅନ୍ତର୍ଜାତୀୟ ନିଗମ ପାଇଁ ନୁହେଁ । କୋର୍ଟ ଗୁରୁତ୍ୱାରୋପ କରିଛନ୍ତି, ନାଗରିକଙ୍କ ଗୋପନୀୟତା ଏକ ମୌଳିକ ଅଧିକାର । ଏହା ସହିତ କୌଣସି ପ୍ରକାର ସାଲିସ୍ କରାଯାଇପାରିବ ନାହିଁ ।