ଜୁନ୍‌ ୩୦ ତାରିଖ ସୁଦ୍ଧା ବେଙ୍ଗାଲୁରୁ ପୌର ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୨/୦୧: ଜୁନ୍‌ ୩୦ ତାରିଖ ସୁଦ୍ଧା ବେଙ୍ଗାଲୁରୁ ପୌର ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଦୀର୍ଘ ଦିନ ଧରି ପଡ଼ି ରହିଥିବା ପୌର ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପାଳନ କରିବାକୁ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ୱାର୍ଡ଼ୱାରି ସଂରକ୍ଷଣ ତାଲିକା ଫେବ୍ରୁଆରି ୨୦ ସୁଦ୍ଧା ପ୍ରକାଶ କରିବାକୁ କହିଛନ୍ତି ।ପୂର୍ବରୁ ଡିସେମ୍ବର ୧୫ ସୁଦ୍ଧା ଦେଇଥିବା ସମୟସୀମାକୁ ‌କୋର୍ଟ ବୃଦ୍ଧି କରିଛନ୍ତି । ନିର୍ବାଚନ ପ୍ରକ୍ରିୟାବେଳେ ସମୟସୀମା ଆଉ ବୃଦ୍ଧି କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ନବଗଠିତ ଗ୍ରେଟର ବେଙ୍ଗାଲୁରୁ ଓ ବୃହତ ବେଙ୍ଗାଲୁରୁ ମହାନଗର ପାଲିକେ ନିର୍ବାଚନ ସମ୍ବନ୍ଧୀୟ ପୂର୍ବ ନିର୍ଦ୍ଦେଶଗୁଡ଼ିକର ଅନୁପାଳନ ଉପରେ କୋର୍ଟ ନଜର ରଖିଥିବା ସମୟରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।