ଭୁବନେଶ୍ୱର,୧୩/୦୩: ମାର୍ଚ୍ଚ ପ୍ରଥମାର୍ଦ୍ଧରୁ ଡରାଇଲାଣି ତାତି, ୪୦ ଡିଗ୍ରି ଟପିଲାଣି ଦିନ ତାପମାତ୍ରା । ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାରେ ୪୦ ଡିଗ୍ରି ଅତିକ୍ରମ କରିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଚଳିତ ଥର ପ୍ରଥମଥର ପାଇଁ ଦିନ ତାପମାତ୍ରା ୪୦ ଡିଗ୍ରି ଡେଇଁଛି । ହୀରାକୁଦରେ ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁର ଓ ସୁନ୍ଦରଗଡ଼ରେ ପାରଦ ୩୯ ଡିଗ୍ରୀ, ଭୁବନେଶ୍ୱରରେ ୩୮.୬ ଡିଗ୍ରି , କଟକରେ ୩୫.୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଆଗକୁ ପାରଦ ଆହୁରି ୨ରୁ ୩ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଥିବା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ସେପଟେ ଖରା ତାତି ଭିତରେ ସାମାନ୍ୟ ଆଶ୍ବସ୍ତି ଆଣିପାରେ କାଳବୈଶାଖୀ । ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହ ପବନ ବହିପାରେ । ଆସନ୍ତା ୧୫ ଓ ୧୬ ତାରିଖରେ ମଧ୍ୟ ରାଜ୍ୟର ଉତ୍ତର ଓ ଉପକୂଳ ଜିଲ୍ଲାରେ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।