ଆକାଶରୁ ଖସୁଛି ନିଆଁ ଝୁଲ, ତାପମାତ୍ରା ଛୁଇଁବ ୪୩ଡିଗ୍ରୀ !

ଭୁବନେଶ୍ୱର,୧୨/୦୫: ରାଜ୍ୟରେ ପ୍ରବଳ ଖରା । ଖରା ତାତି ଓ ପ୍ରବଳ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏମିତିକି ଘରୁ ବାହାରିବା ଅସମ୍ଭବ ହୋଇପଡିଛି। ଆକାଶରୁ ଖସୁଛି ନିଆଁ ଝୁଲ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ଖରା ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ଆଜି ୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ୪୩. ୨ ଡିଗ୍ରୀ ତାପମାତ୍ରା ସହିତ ସମ୍ବଲପୁର ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଟିଟିଲାଗଡ଼ରେ ୪୨.୫, ବଲାଙ୍ଗୀରରେ ୪୨, ସୁନ୍ଦରଗଡ଼ରେ ୪୧.୮, ହୀରାକୁଦରେ ୪୧.୬, ଭୁବନେଶ୍ବରରେ ୪୦.୭ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି। ରାଜଧାନୀରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ଆଜି ରେକର୍ଡ ହୋଇଛି । ଗତକାଲି ଏବଂ ମାର୍ଚ୍ଚ ୨୮ ତାରିଖରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ ହୋଇଥିଲା । ରାଜ୍ୟରେ ଏଭଳି ଅସହ୍ୟ ଖରା ଆହୁରି ୪ ଦିନ ଲାଗିରହିବ । ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।