ନୂଆଦିଲ୍ଲୀ,୧୯/୦୮: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିରୋଧୀ । ଇଣ୍ଡି ମେଣ୍ଟ ତରଫରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କ ନାମ ଘୋଷଣା କରିଛନ୍ତି । କଂଗ୍ରେସ ନେତା ଜୟରାମ ରମେଶଙ୍କ ସୂଚନା ମୁତାବକ, ବିରୋଧୀ ମେଣ୍ଟ ସର୍ବସମ୍ମତିରେ ତାଙ୍କ ନାମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଚୟନ କରିଛି । ଜାଣିରଖିବା ଉଚିତ ଯେ, ବି ସୁଦର୍ଶନ ରେଡ୍ଡୀ ଭାରତର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏବଂ ଗୋଆର ପ୍ରଥମ ଲୋକାୟୁକ୍ତ ଥିଲେ । ସୁଦର୍ଶନ ରେଡ୍ଡୀ ପ୍ରାରମ୍ଭିକ ଶିକ୍ଷା ପରେ, ସେ ୧୯୭୧ ମସିହାରେ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରୁ ଆଇନ ପାସ୍ କରିଥିଲେ ।
ସୁଦର୍ଶନ ରେଡ୍ଡୀ ତାଙ୍କ କ୍ୟାରିୟର ସିଭିଲ୍ ଏବଂ ସାମ୍ବିଧାନିକ ମାମଲାରେ ଅଭ୍ୟାସ କରି ଆରମ୍ଭ କରିଥିଲେ ଏବଂ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବରିଷ୍ଠ ଓକିଲ କେ. ପ୍ରତାପ ରେଡ୍ଡୀଙ୍କ ସହ କାମ କରିଥିଲେ । ଏହାପରେ ତାଙ୍କୁ ୮ ଅଗଷ୍ଟ ୧୯୮୮ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସରକାରୀ ଓକିଲ ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ପରେ ପରେ ସେ କେନ୍ଦ୍ର ସରକାରଙ୍କ ପାଇଁ ଅତିରିକ୍ତ ସ୍ଥାୟୀ ପରାମର୍ଶଦାତା ହୋଇଥିଲେ । ସୁଦର୍ଶନ ରେଡ୍ଡୀ ୧୨ ଜାନୁଆରୀ ୨୦୦୭ରେ ସୁପ୍ରିମକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ ୮ ଜୁଲାଇ ୨୦୧୧ରେ ଅବସର ନେଇଥିଲେ । ଅବସର ପରେ, ସେ ମାର୍ଚ୍ଚ ୨୦୧୩ରେ ଗୋଆର ପ୍ରଥମ ଲୋକାୟୁକ୍ତ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।