ଶୁଭଙ୍କରଙ୍କ ବିବାଦୀୟ ବୟାନ; ଶ୍ରୀମନ୍ଦିରକୁ ଗଲେ ଭାଙ୍ଗିଯାଏ ସଂପର୍କ,ବିବାହ ବନ୍ଧନରେ ହୋଇପାରିବେ ନାହିଁ ବାନ୍ଧି

ଭୁବନେଶ୍ୱର,୨୮/୧୧: କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ । ଭକ୍ତବତ୍ସଳ ମହାବାହୁ ଜ୍ୟେଷ୍ଠ ଭ୍ରାତା ଏବଂ ଭଗିନୀଙ୍କୁ ଯେତେ ପ୍ରେମ କରନ୍ତି ସାଆନ୍ତାଣୀ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ପ୍ରତି ମଧ୍ୟ ସାଆନ୍ତେଙ୍କ ଭାରି ଶରଧା । ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଶ୍ରୀମନ୍ଦିର । ମା’ମହାଲକ୍ଷ୍ମୀଙ୍କ ଅନ୍ୟନାମ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦରେ ସାରା ବିଶ୍ବରେ ବିଖ୍ୟାତ ପୁରୀ ଶ୍ରୀଜଗନ୍ନାଥ ଧାମ । ଯେଉଁଠିକୁ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥା’ନ୍ତି ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଏବଂ ଆନନ୍ଦବଜାରରୁ ଅବଢ଼ା ଖାଇ ହୋଇଥା’ନ୍ତି ତୃପ୍ତ । ହେଲେ ବର୍ତ୍ତମାନ ମହାବାହୁଙ୍କ ଶ୍ରୀମନ୍ଦିରକୁ ନେଇ ସୋସିଆଲ୍ ମିଡିଆରେ ଭୁଲ୍ ଉପସ୍ଥାପନ କରାଯାଇଛି । ଯାହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଛି । ଦେଶର ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ଏବେ ସୋସିଆଲ୍ ମିଡିଆରେ ହେଉଛି ଚର୍ଚ୍ଚା । ଶ୍ରୀମନ୍ଦିର ପ୍ରସଙ୍ଗରେ ସୋସିଆଲ ମିଡିଆରେ ଭୁଲ୍ ଉପସ୍ଥାପନ କରିବାରୁ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଉପସ୍ଥାପକ ଏକ ଭିଡିଓରେ କହିଛନ୍ତି ଯେ ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ତେବେ ସେମାନଙ୍କ ପ୍ରେମ କେବେବି ସଫଳ ହେବନାହିଁ । ସେମାନେ କେବେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ । କାରଣ ଶ୍ରୀମନ୍ଦିର ଉପରେ ମାଆ ରାଧାରାଣୀଙ୍କ ଅଭିଶାପ ପଡ଼ିଛି । ମା’ ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ସ୍ବରୂପରେ ଦର୍ଶନ କରିବାକୁ ଯାଉଥିବା ସମୟରେ ସେବାୟତମାନେ ତାଙ୍କୁ ଅଟକାଇଥିଲେ ଏବଂ କହିଥିଲେ ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି । ଆପଣ କିଭଳି ଭିତରକୁ ଆସିଲେ । ଏକଥା ଶୁଣି ମା’ଶ୍ରୀରାଧା ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ । ଶୁଭଙ୍କର ମିଶ୍ରଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ପୁରୀରେ ଏବେ ଚର୍ଚ୍ଚା ଜୋର ଧରିଛି ।