ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର, ଚାରି ଚକିଆ ଥିଲେ କଟିଯିବ ନାମ

ଭୁବନେଶ୍ୱର,୦୫/୦୯:  ସୁଭଦ୍ରା ଯୋଜନା ସ୍କିମରେ ସରକାର ମହିଳାମାନଙ୍କୁ ସଶକ୍ତ କରିବାକୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେଉଛନ୍ତି । ହେଲେ ଏବେ କିନ୍ତୁ ସେହି ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଖବର । ଏଣିକି ସୁଭଦ୍ରା ଯୋଜନାରୁ ବାଦ୍ ପଡିବେ ଏକାଧିକ ହିତାଧିକାରୀ । ଏନେଇ ସରକାରଙ୍କ ତରଫରୁ ଡାଟାବେସ୍ ପ୍ରସ୍ତୁତ କରାଯାଉଛି ।ସୁଭଦ୍ରା ଯୋଜନା ପାଉଥିବା ଯେଉଁ ହିତାଧିକାରୀଙ୍କ ଚାରି ଚକିଆ ଯାନ ଥିବ, ସେମାନଙ୍କୁ ଆଉ ସୁଭଦ୍ରା ଟଙ୍କା ମିଳିବନି । ଏଥିପାଇଁ ବାହାନ ଡାଟାବେସରୁ ହିତାଧିକାରୀଙ୍କ ତଥ୍ୟ ଯାଞ୍ଚ କରାଯିବ । ଏହାସହ ମୃତ ହିତାଧିକାରୀଙ୍କୁ ମଧ୍ୟ ଖୋଜାଯିବ । ସେହିପରି ଯେଉଁ ସୁଭଦ୍ରା ହିତାଧିକାରୀଙ୍କର ୫ ଏକର ଜମି ଥିବ, ସେମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯିବ । ଏହାସହିତ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ମୃତ ସୁଭଦ୍ରା ହିତାଧିକାରୀଙ୍କ ତଥ୍ୟ ଦେବାକୁ କୁହାଯାଇଛି । ଏହାସହ ପଞ୍ଜୀକରଣ କରି ଧାନ ବିକ୍ରି କରିଥିବା ସୁଭଦ୍ରା ହିତାଧିକାରୀଙ୍କୁ ଚିହ୍ନଟ କରି ଯାଞ୍ଚ କରିବାକୁ ଖାଦ୍ୟ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ରାଜ୍ୟର ମହିଳାମାନଙ୍କୁ ୩ଟି କିସ୍ତିରେ ୧୫ ହଜାର ଟଙ୍କା ଦେଇସାରିଲେଣି ।