ସ୍କୁଲର ଶିକ୍ଷକମାନେ ଗଣନା କରିବେ ରାସ୍ତାରେ ଥିବା ବୁଲା କୁକୁର

ଭୁବନେଶ୍ୱର,୨୯/୧୨: ସରକାରୀ ଏବଂ ବେସରକାରୀ ସ୍କୁଲର ଶିକ୍ଷକମାନେ ଏବେ ଶ୍ରେଣୀଗୃହରେ ପାଠପଢ଼ା ସହିତ ରାସ୍ତାରେ ବୁଲା କୁକୁର ଗଣନା କରିବେ । ଏନେଇ ଦିଲ୍ଲୀ ସରକାରଙ୍କ ଶିକ୍ଷା ନିର୍ଦ୍ଦେଶାଳୟ ଏକ ନିର୍ଦ୍ଦେଶ ଜାରି କରିଛି । ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଅନୁଯାୟୀ, ଏହି କାର୍ଯ୍ୟ ଜନସାଧାରଣଙ୍କ ସୁରକ୍ଷା ପାଇଁ ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ନଭେମ୍ବର ୭ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ କରାଯାଉଛି। କୋର୍ଟ ନିର୍ଦ୍ଦିଷ୍ଟ କରିଥିଲେ ଯେ ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଏବଂ ସାର୍ବଜନୀନ ସ୍ଥାନରୁ ବୁଲା କୁକୁରମାନଙ୍କୁ ବାହାର କରି ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳକୁ ପଠାଯିବା ଉଚିତ। ସ୍ଥାନାନ୍ତର ପୂର୍ବରୁ ଏହି କୁକୁରମାନଙ୍କର ବନ୍ଧ୍ୟାକରଣ ଏବଂ ଟୀକାକରଣ ନିଶ୍ଚିତ କରିବା ମଧ୍ୟ ବାଧ୍ୟତାମୂଳକ। ନିର୍ଦ୍ଦେଶାଳୟ ଏହି କାର୍ଯ୍ୟକୁ “ସର୍ବାଧିକ ପ୍ରାଥମିକତା” ଭାବରେ ବର୍ଣ୍ଣନା କରିଛି। କେବଳ ଉତ୍ତର-ପଶ୍ଚିମ ଜିଲ୍ଲାରୁ ପ୍ରାୟ ୧୧୮ ଜଣ ସରକାରୀ ଶିକ୍ଷକଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି।