ଭୁବନେଶ୍ୱର,୧୩/୧୦: ବିଏମସି ଅଞ୍ଚଳରେ ୪୭,୧୨୬ଜଣ ବୁଲା କୁକୁର ଥିବା ନେଇ ସୂଚନା ଦିଆଯାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ବିଏମସି ପକ୍ଷରୁ ବୁଲା କୁକୁର ଗଣନା କରାଯାଇଛି। ଗତ ସେପ୍ଟେମ୍ବର ୧୮ରୁ ୨୫ତାରିଖ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଅର୍ଥାତ୍ ୧୮ରୁ ୨୧ ତାରିଖ ଏବଂ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବୁଲା କୁକୁର ଗଣନା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ବିଏମ୍ ସି ଅଞ୍ଚଳରେ ଥିବା ୬୭ଟି ଓ୍ୱାର୍ଡର ସମସ୍ତ ଗଳିକନ୍ଦିରେ ଏହି କୁକୁର ଗଣନା କାର୍ଯ୍ୟ ଭୋର ୫ଟାରୁ ସକାଳ ୭ଟା ମଧ୍ୟରେ କରାଯାଇଥିଲା । ଏଥିପାଇଁ ବରିଷ୍ଠ ପଶୁ ଡାକ୍ତରଙ୍କ ତତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, କମ୍ୟୁନିଟି ଅର୍ଗାନାଇଜର, ଡିଇଓ, ଏସ୍ଏମ୍ ଟିଏଙ୍କୁ ନେଇ ୪୧୦ଟି ଟିମ୍ ଗଠନ କରାଯାଇଥିଲା । ପ୍ରତି ଟିମରେ ଦୁଇ ଜଣ ଲେଖାଏଁ କର୍ମୀ ରହିଥିଲେ। ବୁଲା କୁକୁର ଗଣନା ପୂର୍ବରୁ ସେମାନଙ୍କୁ ଜୋନ୍ ସ୍ତରରେ ତାଲିମ ମଧ୍ୟ ଦିଆଯାଇଥିଲା । ସଂପ୍ରତି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମୋଟ ୪୭ ହଜାର ୧୨୬ଟି ବୁଲା କୁକୁର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୩ହଜାର ୪୭ଟି ଅଣ୍ଡିରା କୁକୁର ରହିଥିବା ବେଳେ ୧୫ ହଜାର ୫୫୨ଟି ମାଈ କୁକୁର ଏବଂ ୧ ହଜାର ୧୨୪ଟି ଛୁଆ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୪ ହଜାର ୬୮ଟି ଅଣ୍ଡିରା କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଥିବା ବେଳେ ୩ହଜାର ୩୩୫ଟି ମାଈ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଛି ।