ବୁଲା କୁକୁରମାନଙ୍କର ବନ୍ଧ୍ୟାକରଣ ପରେ ଛାଡ଼ିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨/୦୮: ସୁପ୍ରିମ୍‌କୋର୍ଟ କୁକୁର ପ୍ରେମୀଙ୍କୁ ଖୁସି କରିବା ପରି ଏକ ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଆଶ୍ରୟ ଗୃହକୁ ପଠା ଯାଇଥିବା ବୁଲା କୁକରମାନଙ୍କୁ ଏବେ ଛାଡ଼ି ଦିଆଯିବ। ଦିଲ୍ଲୀ ଏନସିଆରରେ ବୁଲା କୁକୁରଙ୍କ ପ୍ରସଙ୍ଗରେ ଆଜିର ଶୁଣାଣିରେ, ସୁପ୍ରିମକୋର୍ଟ ଆଶ୍ରୟସ୍ଥଳରେ ରଖାଯାଇଥିବା ବୁଲା କୁକୁରମାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ଦେଇଛନ୍ତି। ତଥାପି, ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଏବେ ସାଧାରଣ ସ୍ଥାନରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦିଆଯିବ ନାହିଁ। ତେବେ, କେବଳ ବନ୍ଧ୍ୟାକରଣ ହୋଇଥିବା ବୁଲା କୁକୁରମାନଙ୍କୁ ଆଶ୍ରୟ ଗୃହରୁ ମୁକ୍ତ କରାଯିବ। ସୁପ୍ରିମକୋର୍ଟ ଆଶ୍ରୟସ୍ଥଳରେ ରଖାଯାଇଥିବା ଅନ୍ୟ ବୁଲା କୁକୁରମାନଙ୍କର ବନ୍ଧ୍ୟାକରଣ ପରେ ପୁଣି ସେହି ଅଞ୍ଚଳରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୧ ତାରିଖରେ ଦିଲ୍ଲୀ-ଏନ୍‌ସିଆର୍‌ରେ ସମସ୍ତ ବୁଲା କୁକୁରଙ୍କୁ ଧରି ଆଶ୍ରୟସ୍ଥଳରେ ରଖିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଦାଏର କରାଯାଇଥିବା ପିଟିସନ୍‌ ଉପରେ ଶୁଣାଣି କରି ଅଦାଲତ ରାୟ ସଂରକ୍ଷିତ ରଖିଥିଲେ।