ଭୁବନେଶ୍ୱର,୨୧/୧୧: ମହାପ୍ରଭୁଙ୍କ ନୀତି କମ୍ ଥିବା ସମୟରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି ହେବ। ଗଣତି ମଣତି ପୂର୍ବରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ପ୍ରତ୍ୟେକ ରତ୍ନର ଟିକିନିକ୍ ହିସାବ ସହ ଡିଜିଟାଇଜେସନ ହେବ। କିନ୍ତୁ କେବେ ହେବ ତାହା ନିଷ୍ପତ୍ତି ହୋଇ ନାହିଁ। ବରଂ ଅକ୍ଷୟ ତୃତୀୟା ପୂର୍ବରୁ ସାରିବା ପାଇଁ ପରିଚାଳନା କମିଟି ସଦସ୍ୟ ପ୍ରସ୍ତାବ ଦେଇଛନ୍ତି। ମହାପ୍ରଭୁଙ୍କ ସୁନାବେଶ ପାଇଁ ଆବଶ୍ୟକ ହେଉଥିବା ଅଳଙ୍କାରର ଆଉ ଗୋଟିଏ ସେଟ୍ ପ୍ରସ୍ତୁତ କରାଯିବ। ଗଜପତି ଦିବ୍ୟ ସିଂହଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ପରିଚାଳନା କମିଟି ବୈଠକରେ ଆଜି ଏଭଳି ଏକାଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅର୍ଥ ସବ୍ କମିଟି ପ୍ରସ୍ତୁତ କରିଥିବା ୧୦୪ କୋଟିର ବଳକା ବଜେଟ୍କୁ ମଧ୍ୟ ଆଜି ପରିଚାଳନା କମିଟି ମୋହର ମାରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ସେବାୟତ ଗୁରୁକୁଳ ପ୍ରତିଷ୍ଠା ପାଇଁ ଘରୋଇ ସଂସ୍ଥା ସହ ହୋଇଥିବା ବୁଝାମଣା ବାତିଲ୍ ହେବ। ଜମିରୁ ଜବରଦଖଲ ଉଚ୍ଛେଦ ହେବା ସହ ଖୁବ୍ଶୀଘ୍ର ପାଚେରି ହେବ। ସେବାୟତ ପେନସନ ରାଶି ବୃଦ୍ଧି କରାଯାଇଛି। ସେବକ ଭତ୍ତା ୪ ହଜାରରୁ ୫ ହଜାର କରାଯାଇଥିବା ବେଳେ ବିବାହ ପାଇଁ କନ୍ୟାମାନଙ୍କୁ ଦିଆଯାଉଥିବା ରାଶି ୫୦ ହଜାରରୁ ୧ ଲକ୍ଷ କରାଯାଇଛି। ବ୍ରତ ପାଇଁ ଦିଆଯାଉଥିବା ୩୦ ହଜାରକୁ ବୃଦ୍ଧି କରାଯାଇ ୪୦ ହଜାର କରାଯାଇଛି।