ଭୁବନେଶ୍ୱର, ୧୧/୦୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ ହୋଇଛି । ଆରମ୍ଭ ହେବ ଗଣତି ମଣତି ପ୍ରକ୍ରିୟା । ଅକ୍ଟୋବର ମଧ୍ୟରେ ଶେଷ ହେବ ଗଣତି ମଣତି ଓ ହୁଣ୍ଡି ଶିଫ୍ଟିଂ । ଧାଡ଼ି ଦର୍ଶନ ପୂର୍ବରୁ ହୁଣ୍ଡି ଶିଫ୍ଟିଂ ପାଇଁ ଏକ ରିଜଲ୍ୟୁସନ ଆସିବ । ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଗିବ ଏବଂ ତୁରନ୍ତ ହୁଣ୍ଡି ଶିଫ୍ଟ ହୋଇ ଧାଡ଼ି ଦର୍ଶନ ଆରମ୍ଭ ହେବ ।
ସେପଟେ ଚାରି ଘଣ୍ଟା ଧରି ହୋଇଛି ଶ୍ରୀମନ୍ଦିର ସମୀକ୍ଷା ବୈଠକ । ଶ୍ରୀମନ୍ଦିର ପରିକ୍ରମା ସମେତ ଏହି ବୈଠକରେ ବିଭିନ୍ନ ଯୋଜନାର ଏକ ସବିଶେଷ ସମୀକ୍ଷା ହୋଇଛି । ପ୍ରକଳ୍ପ ଗୁଡିକର ସ୍ଥିତି କେମିତି ରହିଛି ସେ ସମ୍ପର୍କରେ ହୋଇଛି ଆଲୋଚନା । ବିଭିନ୍ନ ପ୍ରକଳ୍ପର ବାକି ଥିବା କାମ ସାରିବାକୁ ଦିଆଯାଇଛି ସମୟସୀମା । ତେବେ ସରକାର ଯୋଜନା କରିଥିବା ପୁରୀର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇଛି । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ଓବିସିସି କର୍ମଚାରୀ ଉପସ୍ଥିତ ରହିଥିଲେ ।