ଭୁବନେଶ୍ୱର,୧୦/୧୨: ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ । କୋରାପୁଟରେ ଚଳିତ ବର୍ଷର ପ୍ରଥମ ତୁଷାରପାତ । କୋରାପୁଟ ରାଜୁଗୁଡାରେ ଧାନ ଖଳାରେ ତୁଷାର ପାତ ହୋଇଥିବାର ଦେଖିବାକୁ ମିଳିଛି । ପ୍ରବଳ ଜାଡ ସାଙ୍ଗକୁ ଘନ କୁହୁଡି କଲବଲ କରୁଥିବା ବେଳେ ତୁଷାରପାତ ମଧ୍ୟ କୋରାପୁଟରେ ଆରମ୍ଭ ହୋଇଯାଇଛି । ରାଜୁଗୁଡାରେ ୫ ଡିଗ୍ରିକୁ ପାରଦ ଖସିଛି । ସେପଟେ ଶିମିଳିପାଳରେ ବି ପ୍ରବଳ ଥଣ୍ଡା । ଏକ ସପ୍ତାହ ଧରି ଶିମିଳିପାଳର ତାପମାତ୍ରା ୫ ଡିଗ୍ରି ତଳେ ରହୁଥିବା ବେଳେ ଆଖ ପାଖ ଅଞ୍ଚଳରେ ୧୦ ରୁ ୧୨ ଡିଗ୍ରୀ ତାପମାତ୍ରା ରହି ଆସୁଛି । ଆଜି ଆପାର-ବାରହାକାମୁଡ଼ାରେ ତାପମାତ୍ରା ୪ ଡିଗ୍ରି, ଚହଲାରେ ୬, ଗୁଡୁଗୁଡ଼ିଆରେ ୭, ବରେହିପାଣିରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କନ୍ଧମାଳରେ ବି ପ୍ରବଳ ଶୀତ ଅନୁଭୂତ ହେଉଛି । ଦାରିଙ୍ଗିବାଡ଼ି, ଜି.ଉଦୟଗିରି, ବାଲିଗୁଡ଼ା ଆଦି ସ୍ଥାନରେ ୫ ଡିଗ୍ରି ତଳେ ତାପମାତ୍ରା ଅନୁଭୂତ ହେଉଛି ।