ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର,୧୧/୦୬: ଦେବସ୍ନାନ ପୂର୍ଣ୍ଣିମାରେ ଆଜି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବା ସହ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଶ୍ରୀଜିଉଙ୍କ ଦିବ୍ୟସ୍ନାନ, ହାତୀବେଶ ଦର୍ଶନ କରିବାକୁ ବଡ଼ଦାଣ୍ଡରେ ଭକ୍ତଙ୍କ ସମାଗମ। ମଙ୍ଗଳାର୍ପଣ, ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଧାଡ଼ି ପହଣ୍ଡିରେ ରତ୍ନସିଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂରତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସି ସ୍ନାନ ବେଦୀରେ ବିଜେ କରିଛନ୍ତି ମହାପ୍ରଭୁ ଜଗନ୍ନାଥ ।

ଦିନ୧୨ଟା ୨୦ରୁ ଗୋଟାଏ ୪୫ ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ହେବ। ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ୩ଟା ୩୦ରେ ଛେରା ପହଁରା ହୋଇ ୪ଟା ୩୦ ମଧ୍ୟରେ ସଂପନ୍ନ ହେବ ଶ୍ରୀଜିଉଙ୍କ ହାତୀବେଶ। ସନ୍ଧ୍ୟା ସାଢ଼େ ୭ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ।  ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦେଖି ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୪୫୦ ଅଫିସରଙ୍କ ସହ ୭୦ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି।

Leave a Reply

Your email address will not be published. Required fields are marked *