ଭୁବନେଶ୍ୱର,୧୧/୦୬: ଚତୁର୍ଦ୍ଧାମୂର୍ତ୍ତିଙ୍କ ସରିଲା ଦିବ୍ୟ ସ୍ନାନ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରା । ଗରାବଡୁ ସେବାୟତ ସୁନା କୂଅରୁ ଜଳ ଘେନି ଗୋଟିଏ ପରେ ଗୋଟିଏ ଗରା ଜଳ ଢାଳି ଦାରୁ ଦିଅଁଙ୍କୁ ଗାଧୋଇ ଦେଉଛନ୍ତି । ଭକ୍ତିମୟ ଶ୍ରୀକ୍ଷେତ୍ର, ଲୋକାରଣ୍ୟ ବଡ଼ଦାଣ୍ଡ । ଜୟ ଜଗନ୍ନାଥ, ହରିବୋଲରେ କମ୍ପୁଛି ଚତୁର୍ଦ୍ଦିଗ । ସ୍ନାନ କରିବା ପରେ ଭକ୍ତଜନଙ୍କୁ ହାତୀବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ସେହି ସ୍ନାନବେଦିରେ ଶ୍ରୀଜିଉମାନଙ୍କର ହାତୀ ବେଶ ବା ଗଜାନନ ବେଶ କରାଯିବ । ତେବେ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ମହାପ୍ରଭୁଙ୍କ ଦେବସ୍ନାନ ନୀତି ସମ୍ପନ୍ନ ହୋଇଛି । ଏହାପରେ ଛେରା ପହଁରା ହୋଇ ୪ଟା ୩୦ ମଧ୍ୟରେ ଶ୍ରୀଜିଉଙ୍କ ହାତୀବେଶ ସମ୍ପନ୍ନ ହେବାର ରହିଛି । ଭୋଗ ସରି ସନ୍ଧ୍ୟା ସାଢ଼େ ୭ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ । ରାତି ୧୧ଟାରେ ହାତୀ ବେଶ ଓଲାଗି ହୋଇ ରାତି ସାଢେ ୧୧ଟାରୁ ୨ଟା ମଧ୍ୟରେ ବାହୁଡା ପହଣ୍ଡି ହେବ । ଅନ୍ୟପଟେ ଦେବସ୍ନାନ ପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦେଖି ଶ୍ରୀକ୍ଷେତ୍ରରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । AI କ୍ୟାମେରା ନଜରରେ ରହିଛି ପୁରୀ ସହର । ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୪୫୦ ଅଫିସରଙ୍କ ସହ ୭୦ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ରୁଫଟପ୍ ଗାର୍ଡ, ଆଣ୍ଟି ଟେରରିଷ୍ଟ ସ୍କ୍ବା଼ଡ୍, ଷ୍ଟ୍ରାଇକିଂ ଫୋର୍ସ ପ୍ରସ୍ତୁତ ରହିବା ସହ ସହରର ତିନିଟି ପ୍ରବେଶ ପଥରେ ମଧ୍ୟ କଡ଼ା ନଜର ରଖାଯାଇଛି ।