ନୂଆଦିଲ୍ଲୀ,୧୫/୦୭: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନରୁ ଅଧିକ ସମୟ ଅତିବାହିତ କରିବା ପରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ପୃଥିବୀକୁ ଫେରିଛନ୍ତି । ସେ ଆକ୍ସିଅମ୍-୪ ମିସନର ଅଂଶ ଭାବରେ ତାଙ୍କର ତିନିଜଣ ଅନ୍ତର୍ଜାତୀୟ ସହଯୋଗୀଙ୍କ ସହିତ ସ୍ପେସ୍ଏକ୍ସର ଡ୍ରାଗନ୍ କ୍ୟାପସୁଲ୍ “ଗ୍ରେସ୍” ଯୋଗେ ଫେରିଛନ୍ତି । କାଲିଫର୍ଣ୍ଣିଆ ଉପକୂଳରେ ପ୍ରଶାନ୍ତ ମହାସାଗରରେ ଅବତରଣ କଲା । ସ୍ପ୍ଲାଶଡାଉନ୍ ପରେ, ଉଦ୍ଧାରକାରୀ ଦଳ ସେମାନଙ୍କୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାରକୁ ଆଣିବେ ।
ପହଞ୍ଚିବା ପରେ ଶୁଭାଂଶୁ ଏବଂ ତାଙ୍କ ସାଥୀମାନଙ୍କୁ ଡାକ୍ତରୀ ନିରୀକ୍ଷଣରେ ରଖାଯିବ ଏବଂ ସେମାନେ ପୃଥିବୀର ମାଧ୍ୟାକର୍ଷଣ ସହିତ ପୁଣି ଥରେ ଅଭ୍ୟସ୍ତ ହେବା ପାଇଁ ଏକ ସାତ ଦିନିଆ ପୁନର୍ବାସରେ ରହିବେ । ଏହି ଐତିହାସିକ ମିସନ୍ ସମୟରେ ଶୁଭାଂଶୁ ଆଇଏସ୍ଏସ୍ରେ ୬୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ କରିଛନ୍ତି । ଏଥିରେ ଇସ୍ରୋ ଦ୍ୱାରା ପରିଚାଳିତ ୭ଟି ମାଇକ୍ରୋଗ୍ରାଭିଟି ପରୀକ୍ଷଣ ମଧ୍ୟ ସାମିଲ ଅଛି । ତାଙ୍କର ଏହି ମିସନ୍ ଭାରତର ଆଗାମୀ ମାନବ ମହାକାଶ ମିସନ୍ “ଗଗନଯାନ” ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ତାଙ୍କର ଏହି ସଫଳ ପ୍ରତ୍ୟାବର୍ତ୍ତନକୁ ନେଇ ସାରା ଦେଶରେ ଉତ୍ସାହର ମାହୋଲ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଏବଂ ସାଧାରଣ ଜନତା, ସମସ୍ତେ ଦେଶର ଏହି ବୀରପୁତ୍ରଙ୍କୁ ସ୍ୱାଗତ କରିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ।