ରୂପାଲି ଛକରେ ଭୟଙ୍କର ସଡ଼କ ଦୁର୍ଘଟଣା, ଅଟୋକୁ ପଛରୁ ପିଟିଲା ଆମ ବସ୍

ଭୁବନେଶ୍ୱର,୦୩/୦୧: ଭୁବନେଶ୍ୱରର ରୂପାଲି ଛକରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତଗାମୀ ‘ଆମ ବସ୍’ ଏକ ଅଟୋକୁ ପଛରୁ ଜୋରରେ ଧକ୍କା ଦେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସ୍‌ ମାଡ଼ରେ ଅଟୋଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ବସ୍ ଚାଳକଙ୍କ ବେପରୁଆ ଏବଂ ଦ୍ରୁତଗତିରେ ଗାଡ଼ି ଚାଳନା ଯୋଗୁଁ ଏହି ଅଘଟଣ ଘଟିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ହଟ୍ଟଗୋଳ କରିଥିଲେ । ଏହା ଫଳରେ ରୁପାଲି ଛକ ଓ ଶହୀଦ ନଗର ଅଞ୍ଚଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା ଏବଂ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା ।