ନୂଆଦିଲ୍ଲୀ,୦୯/୦୧: ଏଣିକି ସଡ଼କ ଦୁର୍ଘଟଣାରେ କେହି ଆହତ ହେଲେ ତାଙ୍କୁ ଘରୋଇ ଓ ସରକାରୀ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ। ଏଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ କୌଣସି ଅର୍ଥ ଦାବି କରିବେନି। ଆହତ ବ୍ୟକ୍ତିଙ୍କୁ ୧.୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦବିହୀନ ଚିକିତ୍ସା ଯୋଗାଇ ଦିଆଯିବ। ପିଏମ୍-ରାହତ ଯୋଜନାରେ ଏହି ସୁବିଧା ମିଳୁଥିବାବେଳେ ଖୁବ୍ଶୀଘ୍ର ଓଡ଼ିଶାରେ ଏହା ଲାଗୁ କରିବାକୁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ନୂଆଦିଲ୍ଲୀରେ ଅନୁଷ୍ଠିତ ପରିବହନ ବିକାଶ ପରିଷଦ ବୈଠକରେ ଜଣାଇଛନ୍ତି। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଷା ପାଢ଼ୀ ଓଡ଼ିଶାର ସାମଗ୍ରିକ ପରିବହନ ଓ ସଡ଼କ ସୁରକ୍ଷା ସମ୍ପର୍କିତ ଚିତ୍ର ଉପସ୍ଥାପନ କରିଥିଲେ। ପୋଲିସ, ସ୍ୱାସ୍ଥ୍ୟ ଓ ପରିବହନ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଇ-ଡାର୍ ଏବଂ ସିସିଟିଏନ୍ଏସ୍ର ଦ୍ୱିମୁଖୀ ଏକୀକରଣ ହାସଲ କରିବାରେ ଓଡ଼ିଶା କିପରି ଦେଶର ପ୍ରଥମ ରାଜ୍ୟ ହୋଇଛି ସେ ନେଇ ସୂଚନା ଦେଇଥିଲେ।