ନୂଆଦିଲ୍ଲୀ,୧୬/୧୧: ବିହାର ବିଧାନସଭା ନିର୍ବାଚନରେ ମୋଦୀ ମ୍ୟାଜିକ୍ କାମ କରିବା ସହିତ ଲିଭିଛି ଲାଲୁଙ୍କ ଲଣ୍ଠନ । ୨୪୩ ଆସନ ଭିତରୁ ଆରଜେଡି କେବଳ ୨୫ ଆସନ ଜିତିଥିବାବେଳେ, ମହାମେଣ୍ଟ ଜିତିଛି କେବଳ ୩୫ ଆସନ । ତେବେ ଆରଜେଡିର ଏହି ପରାଜୟ ଲାଲୁଙ୍କ ପରିବାରକୁ କିନ୍ତୁ ଆହୁରି ଅଧିକ ଭାଙ୍ଗିଦେଇଛି । ପୂର୍ବରୁ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଘରଠୁ ଅଲଗା ହେଇଥିବାବେଳେ, ଏବେ ଝିଅ ରୋହିଣୀ ମଧ୍ୟ ନିଜ ପରିବାରଠୁ ସମ୍ପର୍କ କାଟିଛନ୍ତି । ଲାଲୁଙ୍କ ପରେ ତାଙ୍କ ଦଳର ଉତ୍ତରାଧିକାରୀ କିଏ ହେବ, ତାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଇ ଆସୁଥିଲା । ଆଉ ଏତିକି ବେଳେ ୨୦୧୭ରେ ଯେତେବେଳେ ଲାଲୁ ଚାରା ଘୋଟାଲା କେସରେ ଜେଲ୍ ଗଲେ, ସେତେବେଳେ ଆରଜେଡିର ସବୁ ଦାୟିତ୍ୱ ସାନପୁଅ ତେଜସ୍ୱୀ ଯାଦବଙ୍କୁ ଦେଇଥିଲେ । ଯାହାକି ଦୁଇ ଭାଇଙ୍କ ଭିତରେ ପ୍ରଥମ କରି ଫାଟ ସୃଷ୍ଟି କରିଥିଲା । ସେହି ସମୟରେ ତେଜପ୍ରତାପ ଯାଦବ, ତେଜସ୍ୱୀଙ୍କ ଉପରେ ଖପ୍ପା ହେବା ସହିତ ଲାଲୁଙ୍କ ଅସଲି ଉତ୍ତରାଧିକାରୀ ବୋଲି ନିଜକୁ କହିଥିଲେ ।