ପୂର୍ବତନ ସାଂସଦ ଡକ୍ଟର ରାମବିଳାସ ଦାସ ବେଦାନ୍ତୀଙ୍କର ପରଲୋକ

ନୂଆଦିଲ୍ଲୀ,୧୫/୧୨: ରାମ ମନ୍ଦିର ଆନ୍ଦୋଳନର ପ୍ରମୁଖ ସୂତ୍ରଧର ତଥା ପୂର୍ବତନ ସାଂସଦ ଡକ୍ଟର ରାମବିଳାସ ଦାସ ବେଦାନ୍ତୀଙ୍କର ପରଲୋକ । ମଧ୍ୟପ୍ରଦେଶର ରିୱାଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଅଯୋଧ୍ୟା ସମେତ ସମଗ୍ର ସନ୍ଥ ସମାଜ ଏବଂ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରାମବିଳାସ ବେଦାନ୍ତୀ ଗତ କିଛି ଦିନ ଧରି ରିୱା ଗସ୍ତରେ ଥିଲେ । ଏହି ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା, ଯାହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ବେଳେ ସୋମବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି । ଅଯୋଧ୍ୟାରେ ଅନ୍ତିମ ଦର୍ଶନ ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ରାମବିଳାସ ବେଦାନ୍ତୀ ୭ ଅକ୍ଟୋବର ୧୯୫୮ରେ ମଧ୍ୟପ୍ରଦେଶର ରିୱା ଜିଲ୍ଲାର ଗୁଢୱା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଦ୍ୱାଦଶ ଲୋକସଭାରେ ଉତ୍ତରପ୍ରଦେଶର ପ୍ରତାପଗଡରୁ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ୧୯୯୬ରେ ସେ ମାଛଲିଶହର ଆସନରୁ ମଧ୍ୟ ସାଂସଦ ରହିଥିଲେ ।