ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ, ଆସନ୍ତା ୧୬ ତାରିଖରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୧୮/୦୨: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଭୋଟ୍ ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି। ରାଜ୍ୟ ପରିଷଦର ଏହି ସଦସ୍ୟମାନଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲରେ ଶେଷ ହେବାକୁ ଯାଉଥିବାରୁ ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆସାମ, ବିହାର, ଛତିଶଗଡ଼, ହରିୟାଣା, ହିମାଚଳ ପ୍ରଦେଶ ଓ ତେଲଙ୍ଗାନା ରହିଛନ୍ତି। ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁଯାୟୀ ୨୬ ଫେବ୍ରୁଆରିରେ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୫ ତାରିଖ ନାମାଙ୍କନ ଦାଖଲ ପାଇଁ ଶେଷ ତାରିଖ ରହିଛି । ୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିବାକୁ ସମୟ ସୀମା ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ ଓ ଭୋଟ ଗଣତି ସେହିଦିନ ଅପରାହ୍ଣ ୫ଟାରେ ଆରମ୍ଭ ହେବ। ଇସିଆଇ କହିଛି ଯେ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ ଏବଂ ନିର୍ଦ୍ଦିଷ୍ଟ ବାଲଟ୍ ମାର୍କିଂ ନିର୍ଦ୍ଦେଶାବଳୀ ପାଳନ କରାଯିବ ।

Leave a Reply

Your email address will not be published. Required fields are marked *