ନୂଆଦିଲ୍ଲୀ,୦୫/୦୩: ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର । ନାମାଙ୍କନ ବେଳେ ଉପସ୍ଥିତ ରହିଲେ ନବୀନ ପଟ୍ଟନାୟକ । ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଏଥର ୫ଜଣ ପ୍ରାର୍ଥୀ ନାମାଙ୍କନ ଭରିବେ। ରାଜ୍ୟସଭା ୪ ଆସନ ପାଇଁ ଉଭୟ ଶାସକ ଦଳ ଓ ବିରୋଧୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଚତୁର୍ଥ ଆସନ ପାଇଁ ବି ଦୁଇ ଜଣ ପ୍ରାର୍ଥୀ ରହିଛନ୍ତି। ବିଜେପିରୁ ମନମୋହନ ସାମଲ, ସୁଜିତ୍ କୁମାର, ବିଜେଡିରୁ ସଂତୃପ୍ତ ମିଶ୍ର, କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତା ଓ ସ୍ବାଧୀନ ପ୍ରାର୍ଥୀ ଦିଲ୍ଳୀପ ରାୟ ନାମାଙ୍କନ ଦାଖଲ କରିବେ। ମାର୍ଚ୍ଚ ୫ତାରିଖ ନାମାଙ୍କନର ଶେଷ ଦିନ ହୋଇଥିବାରୁ ଆଜି ସମସ୍ତେ ନାମାଙ୍କନ ଦାଖଲ କରିବେ । ମାର୍ଚ୍ଚ ୬ରେ ପ୍ରାର୍ଥୀପତ୍ରର ହେବ ଯାଞ୍ଚ। ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୧୬ମାର୍ଚ୍ଚରେ ରାଜ୍ୟସଭା ଆସନ ପାଇଁ ପଡ଼ିବ ଭୋଟ୍। ରାଜ୍ୟସଭାର ଚତୁର୍ଥ ଆସନ ପାଇଁ ହେବ ଜୋରଦାର ଲଢ଼େଇ। ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟଙ୍କ ଏଣ୍ଟ୍ରି ରାଜ୍ୟ ରାଜନୀତିକୁ ରୋଚକ କରିଛି।ସେପଟେ କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତାଙ୍କୁ ବିଜେଡି ଓ କଂଗ୍ରେସ ସମର୍ଥନ ଦେଇଛନ୍ତି। ତେବେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିବା ନେଇ ଘୋଷଣା କରିବା ପରେ କ୍ରସ ଭୋଟିଂ ଆଶଙ୍କା ବଢ଼ିଯାଇଛି। ସଂଖ୍ୟା ଗଣିତ ଅନୁସାରେ ବିଜେପି ୨ଟି ଆସନ ହାତେଇବ। ସେହିପରି ବିଜେଡି ଗୋଟିଏ ଆସନରେ ବାଜିମାତ କରିବ। ହେଲେ ଚତୁର୍ଥ ଆସନ ପାଇଁ କାହା ପାଖରେ ଆବଶ୍ୟକ ସଂଖ୍ୟାନଥିବାରୁ ରୋଚକ ସ୍ଥିତି ହୋଇଛି।